ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ଶେଷ ହୋଇଯାଇଛି । ମାତ୍ର ଏବେ ସୂର୍ଯ୍ୟପରାଗର ଖରାପ ପ୍ରଭାବରୁ ରକ୍ଷା ପାଇବାର ସମୟ । ଜ୍ୟୋତିଷଶାସ୍ତ୍ର ଅନୁସାରେ , ସୁତକ ନକ୍ଷତ୍ରରେ ପଡିବା ଯୋଗୁଁ ଏହି ସୂର୍ଯ୍ୟପରାଗ ବଳୟାକାର ହୋଇଯାଇଥିଲା ଏବଂ ଏହା ଅଧିକ ଫଳଦାୟୀ ହେବ ନାହିଁ । ସୂର୍ଯ୍ୟପରାଗ ଅବସରରେ କରାଯାଇଥିବା କାର୍ଯ୍ୟରେ ଅନେକ ପ୍ରକାରର ଶୁଭ ଏବଂ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ସୂର୍ଯ୍ୟପରାଗ ଶେଷ ହୋଇଗଲା ସତ କିନ୍ତୁ ଏହାର ଭଲ ଏବଂ ମନ୍ଦ ପ୍ରଭାବ ଏବେ ବି ଲାଗି ରହିବ । ଜ୍ୟୋତିଷଶାସ୍ତ୍ର ମୁତାବକ, ସୂର୍ଯ୍ୟପରାଗ ଛାଡିବା ପରେ ସ୍ନାନ କରିବା ଉଚିତ୍, ଏହାପରେ କୌଣସି ବ୍ୟକ୍ତିଙ୍କୁ ନିଜ ଭାରର ଦଶ ଭାଗ ସମାନର ଚାଉଳ ଏବଂ କପଡା ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ଶୁଭ ହୋଇଥାଏ ।
ଏହାବ୍ୟତିତ ସ୍ନାନ କରିବା ପରେ ଠାକୁରଙ୍କ ପାଖରେ ଧୂପ ଓ ଦୀପ ଲଗାନ୍ତୁ ଏବଂ ଆଳତୀ ଜାଳି ପୂରା ଘରେ ବୁଲାନ୍ତୁ । ଏଭଳି କରିବା ଦ୍ୱାରା ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
ସେହିପରି ସ୍ନାନ ସାରିବା ପରେ ଗଙ୍ଗାଜଳ ଚାରିଆଡେ ଛିଞ୍ଚିବା ସହ ନିଜ ଉପରେ ଛିଞ୍ଚନ୍ତୁ । ଗର୍ଭବତୀ ମହିଳାଙ୍କର ନଜର ଉତାରିବା ନିହାତି ଜରୁରୀ । ପିତୃପୁରୁଷଙ୍କ ନାମରେ ଦାନ କରିବା ଶୁଭଫଳଦାୟୀ ହୋଇଥାଏ । କାରଣ ଅମାବାସ୍ୟା ରେ ସୂର୍ଯ୍ୟପରାଗ ଲାଗିଥାଏ । ଏହିଦିନ ପିତୃପୁରୁଷଙ୍କୁ ଶାନ୍ତ ରଖିବାର ଉପାୟ କରାଯାଇଥାଏ ।