ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆପଣ କେବେ ଭାବିଛନ୍ତି କି ଜଣେ ସରକାରୀ ମାଳୀ ଭାବରେ କାମ କରୁଥିବା ବ୍ୟକ୍ତିଙ୍କ ସମ୍ପତି କେତେ ହୋଇପାରେ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କାର ସମ୍ପତି ଅଛି ଜଣେ ମାଳୀଙ୍କ ପାଖରେ । ଆଜି ଭିଜିଲାନ୍ସ ହାବୁଡରେ ସେହି କୋଟିପତି ମାଳୀ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗର କାର୍ଯ୍ୟରତ ମାଳୀ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ବାଲେଶ୍ୱର ଭିଜିଲାନ୍ସ ବିଭାଗର ଚାରୋଟି ଟିମ ଚଢଉ କରିଛି ।
ଆଜି ସକାଳୁ ଭିଜିଲାନ୍ସ ଟିମ ଉଦ୍ଧବଙ୍କ ନୁଦଡିହାସ୍ଥିତ ଶ୍ୱଶୁର ଘର, କପ୍ତିପଦାରେ ଥିବା ଫାର୍ମ ହାଉସ, ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, ବଡାମପଦା ରେ ଥିବା ବାସଭବନରେ ଚଢଉ କରାଯାଇଛି । ଚଢଉ ବେଳେ ବହୁ ଜରୁରୀ କାଗଜ ପତ୍ର, ବ୍ୟାଙ୍କ ପାସବୁକ ଆଦି ଜବତ କରିଛି ଟିମ । ଚଢଉ ଜାରି ଥିବାରୁ ଉଦ୍ଧବଙ୍କ ସମ୍ପତିର ଆକଳନ କରାଯାଇ ପାରି ନାହିଁ । ତେବେ ଉଦ୍ଧବଙ୍କ ବଡାମପଦା ସ୍ଥିତ ଥିବା ୩ ମହଲା କୋଠା ଘରର ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଉଦଳାରେ ଉଦ୍ଧବ ଚାକିରି କରୁଥିବା ବେଳେ ତାଙ୍କ ନାଁରେ ବହୁ ବାର ଦୁର୍ନିତି ଅଭିଯୋଗ ହୋଇଥିଲା ।