ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଏମସି ଅଧିନରେ ପେନସନ ପାଉଥିବା ହିତାଧିକାରୀ ମାନଙ୍କୁ ବର୍ତ୍ତମାନ ସହଜରେ ପେନସନ ଭତ୍ତା ମିଳିପାରିବ ।
ବିଏମସି ଓ ଆକ୍ସିସ ବ୍ୟାଙ୍କ ଭିତରେ ହୋଇଥିବା ଏକ ବୁଝାମଣା ଅନୁଯାଇ ଏଣିକି ପେନସନ ହିତାଧିକାରୀ ମାନଙ୍କୁ ଆଧାର ସଂଯୋଗ ଜରିଆରେ ଭତ୍ତା ଦିଆଯିବ ।
ଏହି ସ୍ୱତନ୍ତ୍ର ଯୋଜନାରେ ବାୟୋମେଟ୍ରିକ ରିଡର ବା ବାୟୋମେଟ୍ରିକ ଆଇଣ୍ଡିଟିଫିକେସନ ମାଧ୍ୟମରେ ପେନସନ ଭତ୍ତା ପ୍ରଦାନ କରାଯିବ । ଏହା ଦ୍ୱାରା ପେମେଣ୍ଟ ପ୍ରକ୍ରିୟା ସହଜ, ସରଳ ଓ ସୁରକ୍ଷିତ ହୋଇପାରିବ । ଏବଂ ହିତାଧିକାରୀ ମାନଙ୍କ ସମୟ ବଞ୍ଚିବା ସହିତ ଆଉ ଘଣ୍ଟା ଘଣ୍ଟା ଲାଇନରେ ମଧ୍ୟ ଠିଆ ହେବାକୁ ପଡିବନି ।
ଏଥିପାଇଁ ଆଜି ବିଏମସି ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବିଏମସି ପକ୍ଷରୁ ଡେପୁଟି କମିଶନର ଅଶୋକ କୁମାର ମାହାନ୍ତି ଓ ଆକ୍ସିସ ବ୍ୟାଙ୍କ ସାମନ୍ତରାପୁର ଶାଖାର ମ୍ୟାନେଜର ବ୍ରଜ କିଶୋର ମିଶ୍ର ଏହି ବୁଝାମଣା ସ୍ୱାକ୍ଷର କରିଛନ୍ତି ।
ଆସନ୍ତା ଫେବୃଆରି ମାସରୁ ଏହି ପ୍ରକ୍ରିୟାରେ ପେମେଣ୍ଟ କରାଯିବ । ଏଥିପାଇଁ ଏପର୍ଯ୍ୟନ୍ତ ୧୧ ହଜାର ୭୧୫ ଙ୍କ ଆଧାର ସଂଯୋଗ ପ୍ରକ୍ରିୟା ଶେଷ ହୋଇଛି । ବିଏମସି ଡେପୁଟି କମିଶନରଙ୍କ କହିବା ଅନୁଯାଇ ଆଗାମୀ ଦିନରେ କେବଳ ଆଧଶର ସଂଯୋଗ ଜରିଆରେ ହିଁ ପେନସନ ଟଙ୍କା ପ୍ରଦାନ କରାଯିବ । କେବଳ ଆବଶ୍ୟକ କ୍ଷେତ୍ରର ମାନୁଆଲ ପେମେଣ୍ଟ କରାଯିବ ।