ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଅନଲାଇନ୍ କିଣା ବିକା ଦୃତ ଗତିରେ ବଢି ଚାଲିଛି । ଲୋକ ଆମାଜନ୍ ଏବଂ ଫ୍ଲିପକାର୍ଟ ରୁ ବହୁ ମାତ୍ରାରେ ସପିଙ୍ଗ୍ ମଧ୍ୟ କରୁଛନ୍ତି । କିନ୍ତୁ ଏହି ଦୁଇଟି ବଡ ଇ-କମର୍ସ କମ୍ପାନୀକୁ ୨୦୨୦ ରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । କାରଣ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ରିଲିଆନ୍ସ ରିଟେଲ ଲିମିଟେଡ୍ ‘ଜିଓ ମାର୍ଟ’ ଆରମ୍ଭ କରିଦେଇଛି । ଜିଓ ମାର୍ଟରେ ରେଜିଷ୍ଟ୍ରେସନ୍ ପାଇଁ କମ୍ପାନୀ ତାର ଜିଓ ଟେଲିକମ୍ ଗ୍ରାହକଙ୍କୁ ନିମନ୍ତ୍ରଣ ପଠାଇବା ଆରମ୍ଭ କରିଦେଇଛି । ଜିଓ ମାର୍ଟର ଶୁଭାରମ୍ଭ ନୂତନ ମୁମ୍ବାଇ, ଠାଣେ ଏବଂ କଲ୍ୟାଣ ଠାରେ ହେବ ।
ରିଲିଆନ୍ସ ରିଟେଲ ଆଧିକାରିକ ରୂପେ ଲଞ୍ଚିଂର ଘୋଷଣା କରିଦେଇଛି । ଏହାସହିତ ଆଗାମୀ ଦିନରେ ଏହାକୁ ବିସ୍ତାର କରାଯିବ ବୋଲି କୁହାଯାଇଛି । ଏନେଇ ଜଣେ ଅଧିକାରୀ କହିଛନ୍ତି, ଆମେ ଜିଓ ମାର୍ଟକୁ ଲଞ୍ଚ କରିଦେଇଛୁ । ଏହାସହିତ ଜିଓ ମାର୍ଟରେ ରେଜିଷ୍ଟ୍ରେସନ୍ ପାଇଁ ଗ୍ରାହକଙ୍କୁ ମଧ୍ୟ ନିମନ୍ତ୍ରଣ ପଠାହୋଇଛି । ବର୍ତ୍ତମାନ ତିନୋଟି ସ୍ଥାନରେ ଜିଓ ମାର୍ଟ ଉପଲବ୍ଧ ରହିଛି । ମାତ୍ର ବହୁତ ଶୀଘ୍ର ଅନ୍ୟ ସ୍ଥାନରେ ଏହାକୁ ବିସ୍ତାର କରାଯିବ । ଏହାସହିତ ଜିଓ ମାର୍ଟର ଏକ ଆପ୍ ବି ବହୁତ ଶୀଘ୍ର ଲଞ୍ଚ ହେବ ।