ପୁରୀ (ଏଟିଆର ବ୍ୟୁରୋ): ନବବର୍ଷର ଉପଲକ୍ଷେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଲୋକାରଣ୍ୟ ହୋଇ ପଡିଛି ଶ୍ରୀକ୍ଷେତ୍ର ପୁରୀ । ବର୍ଷ ଆରମ୍ଭରେ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଛନ୍ତି । ଆଜି ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯିବା ପରଠାରୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାତି ତମାମ ହଜାର ହଜାର ଭକ୍ତ ଶ୍ରୀଜିଉଙ୍କର ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କର ଦର୍ଶନ କରିସାରିଥିବା ବେଳେ ଆଜି ଦିନ ତମାମ ଶ୍ରୀକ୍ଷେତ୍ରରେ ଭିଡ ଲାଗିରହିବ ବୋଲି କରାଯାଉଛି । ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିର ଆୟୋଜନ କରାଯାଇଛି ।
ଅନ୍ୟପଟେ ନୂଆବର୍ଷ ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେଉଥିବାରୁ ଶ୍ରୀମନ୍ଦିର ସମେତ ସମଗ୍ର ପୁରୀ ସହରକୁ ଭିନ୍ନ ଢଙ୍ଗରେ ସଜାଯାଇଛି । ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଟ୍ରାଫିକ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ନବବର୍ଷ ଉପଲକ୍ଷେ ପୁରୀକୁ ଲକ୍ଷାଧିକ ଲୋକ ଗାଡିରେ ଆସୁଥିବାରୁ ଗାଡିଗୁଡିକର ପାର୍କିଂ କରିବା ପାଇଁ ମାଳତୀପାଟପୁର, ତାଳବଣିଆ, ଇଣ୍ଡୋର ଷ୍ଟାଡିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡିୟମରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ବାଇକ ପାର୍କିଂ ପାଇଁ ମାର୍କେଟ ଛକ, ମୋଚିସାହି ଓ ନୀଳାଚଳ ଅଶୋକଠାରେ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ପୁରୀ ସହରକୁ ଆଜି କୌଣସି ପ୍ରକାରର ଭାରୀ ଯାନ ପ୍ରବେଶ କରିପାରିବେ ନାହିଁ । ସୁରକ୍ଷା ଦୃଷ୍ଟକୁ ଆଖି ଆଗରେ ରଖି ପୁରୀ ସହରରେ ୬୫ ପ୍ଲାଟୁନ ପୋଲିସ ଫୋସ ମୁତୟନ କରାଯାଇଛି ।