ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମୁହଁରେ ଓଡିଶାର ପ୍ରଶଂସା । ଫୋନି ସମୟରେ ଯେଉଁଭଳି ଭାବେ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଥିଲେ ତାହା ପ୍ରଶଂସନୀୟ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେଉଁଭଳି ଭାବେ ଓଡିଶା ମୁକାବିଲା କରିଥିଲା ସେଥିପାଇଁ ଜାତିସଂଘ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଓଡିଶାର ପ୍ରସ୍ତୁତିକୁ ଉତ୍ତମ ବୋଲି ମାନିଛନ୍ତି । ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗ୍ରସ୍ତରେ ଆସିବା ସହ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ ।
ତେବେ ଗୁରୁବାର ଦିନ ନାଗପୁରଠାରେ ଜାତୀୟ ଅଗ୍ନିଶମ ସେବା କଲେଜ (ଏନଏଫଏସସି)ର ନୂଆ କ୍ୟାମ୍ପସକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ୧୯୯୯ମସିହାରେ ହୋଇଥିବା ମହାବାତ୍ୟା ସମୟରେ ଓଡିଶାରେ ୧୦ହଜାରରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଫୋନି ସମୟରେ ଓଡିଶା ସରକାରଙ୍କ ପ୍ରଶଂସନୀୟ ବାତ୍ୟା ମୁକାବିଲା ଯୋଗୁଁ ମାତ୍ର ୬୪ଜଣଙ୍କର ମୃତ୍ୟୁ ହୋଇଥିଲା । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର ଉପଯୁକ୍ତ ପଦକ୍ଷେପ ଯୋଗୁଁ ମୃତ୍ୟୁ ସଂଖ୍ୟା ଏତେ ମାତ୍ରାରେ କମିପାରିଛି । ୧.୬ ନିୟୁତ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ଫଳରେ ସେମାନେ ବାତ୍ୟା ଦାଉରୁ ରକ୍ଷା ପାଇପାରିଥିଲେ । ଓଡିଶାର ସମସ୍ତ ପ୍ରସ୍ତୁତି ଉଚ୍ଚ ପ୍ରଶଂସନୀୟ ଅଟେ ।