ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାଳ ହେଲା କୁହୁଡି । ବାଟବଣା ହେଲା ନାଉରିଆ । ମଝି ନଈରେ ଫସିଲା ଡଙ୍ଗା । ଘନ କୁହୁଡି ଯୋଗୁଁ ଚିଲିକା ମଝିରେ ପ୍ରାୟତଃ ୩ ଘଣ୍ଟା କାଳ ଫସି ରହିଲା ଯାତ୍ରୀବାହି ଡଙ୍ଗା । ଆଜି ସକାଳୁ ସକାଳୁ ପ୍ରବଳ କୁହାଡି ପଡିଥିବା ଯୋଗୁଁ ଏକ ଯାତ୍ରୀବାହି ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ଯାଉଥିବା ବେଳେ ଅଧା ନଈରେ ଡଙ୍ଗାଟି ଅଟକି ରହିଥିଲା । କାରଣ ନାଉରିଆ ଜଣଙ୍କୁ ବାଟ ଠିକ୍ ଭାବେ ଦୃଶ୍ୟମାନ ନହେବାରୁ ସେ ଡଙ୍ଗାକୁ ଆଗକୁ ନେଇ ପାରିନଥିଲେ । ଯାହାଫଳରେ ୩ ଘଣ୍ଟାରୁ ଅଧିକା ସମୟ ଡଙ୍ଗାଟି ମଝି ନଈରେ ଫସି ରହିଥିଲା । ଯେତେବେଳେ ଧୀରେ ଧୀରେ କୁହୁଡି ଛାଡିଲା ତାପରେ ଯାଇ ନାଉରିଆ ଡଙ୍ଗାକୁ ଆଗକୁ ନେଇ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଁଚାଇଥିଲେ । ଏହି ଡଙ୍ଗାରେ ପ୍ରାୟତଃ ୩୦ ଜଣ ଯାତ୍ରୀ ରହିଥିଲେ, ସେମାନେ ସମସ୍ତେ ସୁରକ୍ଷିତ ଥିବା ଜାଣିବାକୁ ମିଳିଛି ।
ରିପୋର୍ଟ ମୁତାବକ, ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନ କୁହୁଡିର ଚାଦରରେ ଘୋଡି ହୋଇଛି । ଇତି ମଧ୍ୟରେ ସାତପଡା ଏକ ଯାତ୍ରୀବାହି ଡଙ୍ଗା ଜହ୍ନିକୁଦା ଅଭିମୁଖେ ବାହାରିଥିଲା । ପ୍ରାୟତଃ କୂଳରୁ ଡଙ୍ଗା ଛାଡିବାର ଅଧା ନଈରେ ବାଟବଣା ହୋଇଯାଇଥିଲା ନାଉରିଆ । ପ୍ରବଳ କୁହୁଡି ପଡିଥିବା ଯୋଗୁଁ ବାଟ ଦୃଶ୍ୟମାନ ହୋଇନଥିଲା । ଯେଉଁଥି ପାଇଁ ଡଙ୍ଗା ମଝି ନଈରେ ଫସି ରହିଥିଲା ।