ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଘଟଣା ଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ପ୍ରକାର ସବୁବେଳେ ଉତ୍ତେଜନା ଲାଗି ରହିଛି । ସବୁେବେଳ ଦୁଇଦେଶ ପରସ୍ପରକୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ଏକ ପ୍ରକାର ଦୁଇ ଦେଶ ମଧ୍ୟରେ ସବୁ ବାଣିଜ୍ୟକ ବ୍ୟବସାୟ ମଧ୍ୟ ବନ୍ଦ ରହିଛି । ତେବେ ଚଳିତ ବର୍ଷ ଭାରତ ଆସି ପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଭାରତ ଆସିବା ପାଇଁ ଇମ୍ରାନଙ୍କୁ ନିମନ୍ତ୍ରଣ କରିବ ଭାରତ! ଚଳିତ ବର୍ଷ ହେବାକୁ ଥିବା ଏସସିଓ ବୈଠକ ଭାରତରେ ଅନୁଷ୍ଠିତ ହେବ ।
ଏଥିରେ ୮ ଟି ଦେଶ ସହିତ ୪ ଟି ପର୍ଯ୍ୟବେକ୍ଷକ ଦେଶକୁ ଏଥିରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ । ଏଥିରେ ପାକିସ୍ତାନ ମଧ୍ୟ ରହିଛି । ଏସସିଓର କାର୍ୟ୍ୟକ୍ରମ, ବହୁପକ୍ଷୀୟ ଆର୍ଥିକ ଓ କାରବାର ସହଯୋଗିତା ଉପରେ ଆଲୋଚନା କରାଯାଏ। ଏହି ବୈଠକରେ ଦେଶର ପ୍ରଧାନମନ୍ତ୍ରୀ ମାନେ ଯୋଗ ଦେବେ। ତେଣୁ ନିୟମ ଦୃଷ୍ଟିରୁ ଭାରତ ପାକିସ୍ତାନକୁ ଆମନ୍ତ୍ରଣ କରିପାରେ । ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଏସସିଓ ପ୍ରତିଷ୍ଠା ବେଳେ ଯେଉଁ ନିୟମ ପାଳନ ହେଉଛି ତାହା ପାଳନ କରାଯିବ ।