ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଓ ଏୟାର ଇଣ୍ଡିଆର ମିଳିତ ଉଦ୍ୟମରେ ୪୪ ଜଣ ଦିବ୍ୟାଙ୍ଗ ପିଲାଙ୍କ ଆକାଶରେ ଉଡିବା ସ୍ୱପ୍ନ ପୂରଣ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱର ଓ ବାରିପଦାର ବିଭିନ୍ନ ଦିବ୍ୟାଙ୍ଗ ଅନୁଷ୍ଠାନର ୪୪ ଜଣ ପିଲାଙ୍କୁ ଭୁବନେଶ୍ୱର ଆକାଶମାର୍ଗରେ ବିମାନରେ ଉଡିବାର ଅନୁଭୂତି ପ୍ରଦାନ କରାଯିବ । ତେବେ କିଛି ଦିନ ପୂର୍ବରୁ ଗରିବ ମହିଳା ମାନଙ୍କୁ ଏୟାର ଇଣ୍ଡିଆର ତରଫରୁ ବିମାନରେ ଉଡାଣ ଭରିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ କରାଯାଇଥିବା ଏହି ସ୍ୱତନ୍ତ୍ର ବ୍ୟବସ୍ଥାରେ ୯ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲା ସାମିଲ ହେବେ । ଏମାନଙ୍କ ମଧ୍ୟରେ ୨୧ ଜଣ ବାଳକ ଥିବା ବେଳେ ୨୩ ଜଣ ବାଳିକା ରହିଛନ୍ତି । ଏହି ଉଡାଣରେ ୨୧ ଜଣ ସହାୟକ ଓ ସହାୟିକାଙ୍କୁ ମଧ୍ୟ ସାମିଲ କରାଯିବ । ବିମାନ ଉଡଣା ପୂର୍ବରୁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।