ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭଗବାନ ସବୁ ମଣିଷକୁ ପ୍ରେମ କରିବାର ଶକ୍ତି ଦେଇଛନ୍ତି ଓ କେବଳ ପ୍ରେମରେ ହିଁ ଅନେକ ସମସ୍ୟାର ସମାଧାନ ହୋଇପାରେ । ହେଲେ ବର୍ତ୍ତମାନ ସମୟରେ ପ୍ରେମର ଅନେକ ଅର୍ଥ ବାହାର କରି ଲୋକେ ପ୍ରେମକୁ ଅର୍ଥହୀନ କରିସାରିଲେଣି ।
ବର୍ତ୍ତମାନ ମଣିଷ କେବଳ ନିଜ ସ୍ୱାର୍ଥରେ ବୁଡି ରହି ଅନ୍ୟକୁ କଷ୍ଟ ଦେବାରେ ବିଶ୍ୱାସ କରୁଛି । ଅନେକ ସମୟରେ ନିଜ ଲୋକମାନେ ମଧ୍ୟ ନିଜ ନିଜ ଭିତରେ ଝଗଡା କରି ସମ୍ପର୍କ ଖରାପ କରିବାରେ ଲାଗିଛନ୍ତି ।
ହେଲେ ଏତେ ସବୁ ସମସ୍ୟା କେବଳ ମଣିଷର ନିଷ୍ଠୁରତା ପାଇଁ ହିଁ ହୋଇଥାଏ । ମନେ ହୁଏ ମଣିଷର ଅନ୍ୟ ପ୍ରତି ପ୍ରେମ ଭାବ ହିଁ ଲୋପ ପାଇଗଲାଣି । କିନ୍ତୁ ପୁରା ଦୁନିଆ କେବଳ ପ୍ରେମରେ ଦ୍ୱାରା ହିଁ ଯୋଡି ହୋଇ ରହିଛି ।
ସ୍ୱୟଂ ଭଗବାନଙ୍କ ମତରେ ପ୍ରେମ ହିଁ କେବଳ ଗୋଟିଏ ମାର୍ଗ ଯେଉଁଥିରେ ଚାଲିବା ଦ୍ୱାରା ମଣିଷ ଅମର ହୋଇ ରହିପାରେ । ପ୍ରେମ ହିଁ ମଣିଷକୁ ଆଗକୁ ବଢିବାରେ ସାହାର୍ଯ୍ୟ କରେ ଏବଂ ଅନ୍ୟ ପ୍ରତି ମନରେ ପ୍ରେମ ଭାବ ରହିବା ଦ୍ୱାରା ମଣିଷ ସହଜରେ ସମସ୍ତଙ୍କ ମନକୁ ଜିତିପାରେ ।
ପ୍ରେମର ଅଭାବ ଓ ଅନ୍ୟ ପ୍ରତି ଇର୍ଶାଭାବ ହିଁ ମହାଭାରତ ଭଳି ଭୟଙ୍କର ଯୁଦ୍ଧର ମୂଳ କାରଣ ହୋଇଥିଲା । ତେଣୁ ସର୍ବଦା ଅନ୍ୟ ପ୍ରତି ପ୍ରେମ ଭାବ ରଖିବା ଦ୍ୱାରା ମଣିଷ ସମାଜରେ ଶ୍ରେଷ୍ଠ ହୋଇପାରିବ ବୋଲି ବିଦୁର ଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି ।
ବିଦୁର ଦ୍ରୁତରାଷ୍ଟ୍ରଙ୍କ ସାମାଜ୍ୟର ପ୍ରଧାନମନ୍ତ୍ରୀ ଥିଲେ ଏବଂ ସେ ତାଙ୍କ ଉଦାର ନୀତି ଓ ଦୁରଦୃଷ୍ଟି ପାଇଁ ସମସ୍ତଙ୍କର ଲୋକପ୍ରିୟ ଥିଲେ । ମହାଭାରତ ଯୁଦ୍ଧ ପୁର୍ବରୁ ଯୁଦ୍ଧକୁ ଏଡାଇବା ପାଇଁ କୌରବ ମାନଙ୍କୁ ପ୍ରେମର ମହତ୍ୱ ବୁଝାଇଥିଲେ ।