ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଫେବୃୟାରୀ ୬ ତାରିଖରୁ ବେଆଇନ ଭାବେ ନିର୍ମାଣ ହୋଇଥିବା ଘରର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ । ବେଆଇନ ଭାବେ ନିର୍ମିତ ହୋଇଥିବା ଘର ଗୁଡିକୁ ସ୍ୱୀକୃତି କରିବା ପାଇଁ ରାଜ୍ୟ ସରକାର ସୁଯୋଗ ଦେଇଛନ୍ତି । ଏନେଇ ୨୦୧୮ ମସିହାରୁ କାର୍ଯ୍ୟକାରୀ ହୋଉଛି ସର୍ବକ୍ଷମା ଯୋଜନା । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏହାକୁ ୨ ଥର ସଂଶୋଧନ କରି ଲୋକ ମାନଙ୍କୁ ୬ ମାସ ଲେଖାଏଁ ସମୟ ଦିଆଯାଇଛି । ଏହି ସମୟ ସୀମା ଆସନ୍ତା ୫ ତାରିଖରେ ଶେଷ ହୋଇଯିବ । ତେବେ ଏହା ପରେ ବେଆଇନ ଘର ଓ ନିର୍ମାଣର ପ୍ଲାନ ଆପୃଭାଲ ନଥିବା ଘର ଗୁଡିକ ଉଚ୍ଛେଦ କରାଯିବ । ଏନେଇ ନଗର ଉନ୍ନୟନ ବିଭାଗ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ), ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଓ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । ଏହାକୁ ନେଇ ବିଡିଏ ଏକ ପ୍ରସ ବିବୃତି ପ୍ରକାଶ କରିଛି । ଏହି ପ୍ରେସ ବିବୃତିରେ ଲେଖାଯାଇଛି ଯେ, ସୁଯୋଗ ଦିଆଯିବ ସତ୍ତ୍ୱେ ଲୋକ ମାନେ ବିନା ପ୍ଲାନ ଆପୃଭାଲରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆଉ ଏହାର ଅବଧି ଆଉ ବଢାଯିବ ନାହି କି ସୁଯୋଗ ଦିଆଯିବ ନାହିଁ ।
ସୂଚନା ଅନୁସାରେ ଓଡିଶା ଡେଭଲପମେଣ୍ଟ ଆକ୍ଟ-୧୯୮୨ ଅନୁଯାୟୀ ଘର ଗୁଡିକୁ ଯାଞ୍ଚ କରାଯିବ । ଯେ କେହି ବିନା ପ୍ଲାନ ଆପୃଭାଲରେ ଘର କିମ୍ବା ନିର୍ମାଣ କାର୍ଯ୍ୟ କରୁଥିବେ ତାଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତେବେ ପ୍ରଥମେ ବେଆଇନ ନିର୍ମାଣକୁ ନିୟମିତ କରିବା ପାଇଁ ୨୦୧୮ରେ ସର୍ବକ୍ଷମା ଯୋଜନା ପ୍ରଣୟନ କରାଯାଇଥିଲା । ହେଲେ ଜରିମାନା ପରିମାଣ ଅଧିକ ଥିବାରୁ ଏହାକୁ ଲୋକ ମାନେ ଆପଣେଇ ନଥିଲେ । ତେବେ ପରେ ୨୦୧୯ ଅଗଷ୍ଟ ୫ ତାରିଖରେ ଜରିମାନା ପରିମାଣ କମ କରାଯାଇ ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ଭୁବନେଶ୍ୱରରେ ମାତ୍ର ୩୯୦୦ ଆବେଦନ ଆସିଛି । ଏହି ପରିମାଣ ଖୁବ କମ ଥିବାରୁ ସରକାର ଆଉ ସମୟ ଓ ସୁଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି ।