ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗୋଟିଏ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ସବୁବେଳେ ଗୋଟିଏ ନାରୀର । କଥାରେ ଅଛି ଗୋଟିଏ ନାରୀ ସ୍ୱାକ୍ଷରିତ ହୋଇ ପାରିଲେ ସେ ସମଗ୍ର ପରିବାରକୁ ଶିକ୍ଷିତ କରିପାରିବ । ଯଦି ନାରୀର ସ୍ଥାନ ଏତେ ଉଚ୍ଚରେ, ତେବେ ଆଜିଭଳି ଦିନ ଅର୍ଥାତ କନ୍ୟା ଦିବସର ଆବଶ୍ୟକତା କଣ?
ଆଜିର ସଭ୍ୟ ପୁରୁଷ ପ୍ରଧାନ ସମାଜରେ ଆଜି ସେ ଅବହେଳିତ, ଦୁର୍ବଳା ଆଉ ଅଲୋଡା । ଏଠି ପୁଅ ଟିଏ ଜନ୍ମ ହେଲେ ଲୋକମାନଙ୍କ ଖୁସି କହିଲେ ନସରେ , ଆଉ ନବଜାତ ଶିଶୁ କନ୍ୟାଟି ମିଳେ ଦୂର ଅଳିଆ ଗଦାରେ ତ ପୁଣି କେବେ ଅଜଣା ହସ୍ପିଟାଲ ବେଡରେ ।
ବହୁ ପ୍ରତିବନ୍ଧକ ପାର କରି ସେ ଜନ୍ମ ତ ହୋଇଯାଏ ହେଲେ ତା ସଂଘର୍ଷ ଆରମ୍ଭ ହୁଏ ପୁଣି ଗୋଟିଏ ନୂଆ ରୂପରେ । ଛୋଟ ବେଳେ ଖେଳିବାଠୁ ନେଇ ପାଠ ପଢା ପର୍ଯ୍ୟନ୍ତ ସବୁଥିରେ ତାକୁ ତା ଭାଇ ସହିତ ସମାନ ହୋଇ ନିଜ ଅସ୍ତିତ୍ୱ ସାବ୍ୟସ୍ଥ କରିବାକୁ ପଡେ । ସେମାନଙ୍କ କୁନି କୁନି ହାତରେ ପଢାବହି ପରିବର୍ତ୍ତେ କାହିଁକି ଘର କାମ ଶୋଭା ଦିଏ?
ଖାଲି ସେତିକି ନୁହେଁ, ନର ରାକ୍ଷାସ ମାନଙ୍କ ଡର ମଧ୍ୟ ତାକୁ ବାନ୍ଧି ରଖେ କେଉଁ ଏକ ଅଦୃଶ୍ୟ ଶିକୁଳିରେ । ଅନେକ ସମୟରେ ଘର ବାହାରେ ନୁହେଁ ଘର ଭିତରେ ହିଁ ଶାରୀରିକ ଶୋଷଣର ଶିକାର ହୁଏ ସେଇ ଛୋଟ ଝିଅଟି । ସତରେ କଣ ସେଇ କୁନି ଝିିଅଟିର ସେଇ ଛୋଟ ଡ୍ରେସଟି ଜଣକୁ କାମନାର ବଶବର୍ତ୍ତି କରାଇପାରେ?
ଅନ୍ୟପଟେ ଆହୁରି ଅନେକ ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଆସେ କାହିଁକି ଝିଅ ମାନଙ୍କୁ ଅଧିକ ସମବେଦନା ଦିଆଯାଏ? କାହିଁକି ଝିଅମାନଙ୍କ ଶିକ୍ଷା ପାଇଁ ସରକାର ଏତେ ଯୋଜନା କରୁଛନ୍ତି? ଏବଂ କାହିଁକି କେବଳ ଝିଅ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି?
ତେବେ ଏହାର ଉତ୍ତର କେବଳ ଆମ ଦେଶର ପରିସଂଖ୍ୟାନ ହିଁ ଦେଇପାରିବ । କେବଳ ୫୨ପ୍ରତିଶତ ୫-୯ବର୍ଷର ଶିଶୁ କନ୍ୟା ହିଁ ପାଠପଢିବାର ସ୍ୱଭାଗ୍ୟ ପାଇଥାନ୍ତି । ଅନ୍ୟପଟରେ ପ୍ରତିବର୍ଷ ୨୫ପ୍ରତିଶତ ଶିଶୁ କନ୍ୟା ଶାରୀରିକ ଶୋଷଣ ଓ ଦୁଷ୍କର୍ମର ଶିକାର ହୋଇଥାନ୍ତି । ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ୯୪ପ୍ରତିଶତ ଶିଶୁ କନ୍ୟାଙ୍କ ଶାରୀରିକ ଶୋଷଣ ସେମାନଙ୍କ ନିଜ ଲୋକଙ୍କ ଦ୍ୱାରା ହିଁ ହୋଇଥାଏ ।
ତେବେ ଆଜି ହେଉଛି କନ୍ୟା ରତ୍ନ ଦିବସ । ୨୦୦୮ ମସିହା ଠାରୁ ପ୍ରତିବର୍ଷ ଆଜିର ଦିନରେ ହିଁ ସାରା ଦେଶର ସମ୍ବେଦନାର ପାତ୍ର ହୋଇପଡନ୍ତି ଏହି କୁନି କୁନି ପରୀ ମାନେ । ଶିଶୁ କନ୍ୟା ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଏହା ଏକ ପ୍ରସଂଶନୀୟ ପ୍ରଚେଷ୍ଟା ମାତ୍ର ।
ମାନସିକତାରେ ପରିବର୍ତ୍ତନ ଓ କନ୍ୟା ରତ୍ନର ମହତ୍ୱ ବୁଝିବା ହିଁ ଭୃଣ ହତ୍ୟା, ଝିଅ ପୁଅ ଭେଦଭାବ, ଶିଶୁ କନ୍ୟା ଶୋଷଣ ଓ ଦୁଷ୍କର୍ମ ଭଳି ଜଟିଳ ସମସ୍ୟାର ସମାଧାନ କରିପାରିବ ।