ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆକ୍ସନ ମୁଡ୍ ରେ ଉଚ୍ଚଶିକ୍ଷା ବିଭାଗ । ଗତ ଦୁଇ ଦିନ ତଳେ ସରକାରୀ ଅଧ୍ୟାପକ ମାନଙ୍କୁ ଘରୋଇ ଟ୍ୟୁସନ କରିବା ପାଇଁ ମନା କରିଥିଲେ । ଆଉ ଆଜି ତାଲିକା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ତେବେ ଏହି ତାଲିକାରେ ୧୧୧ ଜଣ ସରକାରି ଅଧ୍ୟାପକଙ୍କ ନାଁ ରହିଛି । ଏହି ଅଧ୍ୟାପକ ମାନେ ସରକାରୀ କଲେଜରେ କାର୍ଯ୍ୟରତ ରହିକିବି ଘରୋଇ ଟ୍ୟୁସନ କରୁଛନ୍ତି । ବାରମ୍ବାର ଏମାନଙ୍କୁ ତାଗିଦ୍ କରିବା ସତ୍ତେ୍ୱ ମଧ୍ୟ ଏମାନେ ଟ୍ୟୁସନ କରି ପାଠ ପଢାଉଛନ୍ତି । ସରକାରୀ ନିୟମକୁ ବେଖାତିର କରିଚାଲିଛନ୍ତି ।
ଏହି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ତାଲିକାରେ ରାଜଧାନୀ ଭୁବନେଶ୍ୱର ଓ କଟକର କାର୍ଯ୍ୟରତ ଅଧ୍ୟାପକଙ୍କ ବେଶି ନାଁ ରହିଥିବା ଜଣାପଡିଛି । ଏହି ତାଲିକାରେ ଭୁବନେଶ୍ୱର ରମାଦେବୀ କଲେଜ, ବିଜୁପଟ୍ଟନାୟକ କଲେଜ, ଏକାମ୍ର କଲେଜର ଅଧ୍ୟାପକଙ୍କ ନାଁ ରହିଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ୬ ଜଣ ଅଧ୍ୟାପକ, ଯାଜପୁରର ୧୧, ଭଦ୍ରକର ୮, କଟକ, ବାଲେଶ୍ୱର ଆଦି କଲେଜର ମୋଟ ୧୧୧ ଜଣ ଅଧ୍ୟାପକଙ୍କ ନାଁ ରହିଥିବା ଜଣାପଡିଛି ।