ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ମର୍ୟ୍ୟାଦା ଜନକ ପଦ୍ମ ପୁରସ୍କାର । ଆଉ ସବୁଠାରୁ ବଡକଥା ହେଲା ଏଥର ଓଡିଶାରୁ ୧୦ ଜଣ କୃତିତ୍ୱଙ୍କୁ ଏକକାଳୀନ ଏହି ମର୍ୟ୍ୟାଦା ଜନକ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା ହୋଇଛି । ପ୍ରସିଦ୍ଧ ‘ରଙ୍ଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ପାଇବେ ପଦ୍ମଶ୍ରୀ ପୁରସ୍କାର । ତେବେ ଏହୌି ଅବସରରେ ଆସନ୍ତୁ ଜାଣିବା ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ବିଷୟରେ କିଛି ଜଣା ଅଜଣା କଥା ।
୧୯୪୨ ମସିହା ଏପ୍ରିଲ ୬ ତାରିଖରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲରେ ଜନ୍ମ ଗ୍ରହଣ କରନ୍ତି ଗୀତିକାର ମତ୍ରଭାନୁ ଗୌନ୍ତିଆ । ଶ୍ରୀ ଗୌନ୍ତିଆ ଅନେକ ଗଳ୍ପ, କବିତା ଓ ନାଟକର ରଚୟିତା । ଆଉ ରଙ୍ଗବତୀ ଗୀତ ରଚନା ପାଇଁ ତାଙ୍କର ସାରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ପରିଚୟ । ରଙ୍ଗବତୀ ଗୀତର ଲୋକପ୍ରିୟତା କେବଳ ଓଡିଶା ଭିତରେ ସୀମିତ ରହିନାହିଁ ଏହା ସାରା ଦେଶରେ ଲୋକପ୍ରିୟତା ହାସଲ କରିଛି । ୨୦୦୭ ମସିହାରେ ଏହି ଗୀତଟି ଅଧିକ ଚର୍ଚ୍ଚାକୁ ଆସିଥିଲା । ୨୦୦୭ ଗଣତନ୍ତ୍ର ଦିବସରେ ଏହାକୁ ଓଡିଶା ପକ୍ଷରୁ ପରିବେଶଣ କରିଯାଇଥିଲା ।
ମାତ୍ର ୧୨ ବର୍ଷ ବୟସରୁ ମିତ୍ରଭାନୁ କବିତା ଲେଖିବା ଆରମ୍ଭ କରି ଦେଇଥିଲେ । ୧୯୭୧ ମସିହାରେ ସେ ଆକାଶ ବାଣୀରେ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାରର ମାନ୍ୟତା ପାଇଥିଲେ । ଏଯାବତ ସେ ୧ ହଜାରରୁ ଅଧିକ ଗୀତ ରଚନା କରି ସାରିଲେଣି । ସେ ମଧ୍ୟ ଅନେକ ଗୀତିନାଟ୍ୟ ରଚନା କରିଛନ୍ତି । “ଭାଇ ଜୁନ୍ତିଆ’’ ତାଙ୍କର ପ୍ରଥମ ଗୀତିନାଟ୍ୟ ରହିଥିଲା । ସୂଚନାଯୋଗ୍ୟ ଏହି ଗୀତପାଇଁ ପୂର୍ବରୁ କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରପାଲ ୨୦୧୭ ମସିହାରେ ପଦ୍ମଶ୍ରୀ ଉପାଧି ପାଇ ସାରିଛନ୍ତି ।