ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ଏହା ସହ ଉତ୍ପାଦନ ନିୟନ୍ତ୍ରଣ କରିବାରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ଭିତରେ କିଛି ପଲିଥିନ୍ ଫ୍ୟାକ୍ଟ୍ରି ଏବେବି ବେଆଇନ ଭାବେ କାରବାର କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଲିଥିନ କାରାଖାନା ଉପରେ ଚଢାଉ କରାଯାଉଛି । ସୂଚନା ଅନୁସାରେ ବିଏମସି, ବିଡିଏ, ରାଜ୍ୟ ପ୍ରଦୂଷର ନିୟନ୍ତ୍ରଣ ବୋର୍ଡ ଓ ପୋଲିସ ବିଭାଗ ମିଳିତ ଭାବେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଚଢାଉ କରାଯାଇଛି । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବେଆଇନ ଭାବେ ପଲିଥିନ କାରାଖାନା କାର୍ଯ୍ୟକରୁଥିବା ଖବର ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧାରୀ ପାଇଥିଲେ । ଏହାକୁ ଯାଞ୍ଚ କରିବା ପାଇଁ କମିଶନର ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସଙ୍ଗେ ସଙ୍ଗେ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଗତକାଲି ୪ଟି କାରାଖାନାରେ ଚଢାଉ କରିଥିଲେ । ସେଥିମଧ୍ୟରୁ ୨ଟି କାରଖାନା ଉପରେ ପଲିକେମ୍ ଇଣ୍ଡିଆ ଓ ନନ୍ଦିମେଟାଲ୍ ରୋଲିଂ ମିଲ୍ସରେ ଉଭୟ ୫୦ ମାଇକ୍ରୋନରୁ ଅଧିକ ଓ କମ ଉତ୍ପାଦନ ହେଉଥିବା ଜଣାପଡିଥିଲା । ଏହି ୨ଟି କାରଖାନାର ଟ୍ରେଡ୍ ଲାଇସେନ୍ସ ରାଜ୍ୟ ପ୍ରଦୂଷର ବୋର୍ଡରୁ କୌଣସି ପ୍ରକାରର ପଞ୍ଜିକରଣ ନଥିବାର ଜଣାପଡିଛି । ବେଆଇ଼ନ୍ ଭାବେ କମ୍ ମାନର ପଲିଥିନ୍ ପ୍ରସ୍ତୁତି ତଥା ପଲିଥିନ୍ ଜବତ ଓ ସ୍ଥାନାନ୍ତର ଇତ୍ୟାଦି ନିମନ୍ତେ ପଲିକେମ୍ ଇଣ୍ଡିଆକୁ ୩୦ ହଜାର ଏବଂ ନନ୍ଦିମେଟାଲ୍ ରୋଲିଂ ମିଲ୍ସକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି।