ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନରେ ବ୍ୟାପୁଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଡରାଇଲାଣି । ଚୀନରେ ଏବେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୭୦ କୁ ପହଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ଯେଉଁଭଳି ଭାବେ ବଢି ଚାଲିଛି ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ୱିଗୁଣୀତ ହେବାରେ ଲାଗିଛି । ଚିନ ଏହି ଭାଇରସ ଉପରେ ରୋକ ଲାଗାଇବାକୁ ଶତଚେଷ୍ଟା କରୁଥିଲେ ମଧ୍ୟ ଏହା କମିବାର ନାଁ ଧରୁନାହିଁ । ଏହି ଭାଇରସ ଏବେ କେବଳ ଚୀନରେ ସୀମିତ ନାହିଁ ଏହାର ପ୍ରଭାବ ଏବେ ଅନ୍ୟ ରାଷ୍ଟ୍ରକୁ ବ୍ୟାପୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ କରୋନା ଭାଇରସକୁ ନେଇ ଚୀନର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ମୃତ୍ୟୁ ସଂଖ୍ୟା ୧୭୦ ପହଞ୍ଚିଥିବା ବେଳେ ୧୩୭୦ ରୁ ଅଧିକ ଲୋକ ଗୁରୁତର ଆକ୍ରାନ୍ତ ହୋଇ ସାରିଲେଣି ।
ଅନ୍ୟପଟେ ଏହି ଭାଇରସରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣଙ୍କ ଜୀବନ ଚାଲି ଯାଇଛି । ଚୀନରେ ଏହି ସ୍ଥିିତିକୁ ଦେଖି ଉହାନରେ ଫସିଥିବା ୧୯୫ ଜଣ ଆମେରିକୀୟ ନାଗରିକଙ୍କୁ ୱାଶିଂଟନ ପକ୍ଷରୁ ନିଜ ଦେଶକୁ ଫେରାଇ ନିଆଯାଇଛି। ଭାରତ ପକ୍ଷରୁ ମଧ୍ୟ ନାଗରିକ ମାନଙ୍କୁ ଚୀନ ନଯିବାକୁ କୁହାଯାଇଛି । ଅନ୍ୟପଟେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ କହିଛି ହୋମିଓପାଥିରେ କୋରୋନା ଭାଇରସର ସଂକ୍ରମଣକୁ ରୋକି ହେବ । ସେଣ୍ଟ୍ରାଲ କାଉନସିଲ ଫର ରିସର୍ଚ ଇନ୍ ହୋମିପାଥିର ପରାମର୍ଶଦାତା ବୈଠକ ହୋଇଥିଲା ଏବଂ ଏହି ବୈଠକ ରେ କୁହାଯାଇଛି ହୋମିଓପାଥି ଚିକିତ୍ସାରେ କରୋନା ଭାଇରସକୁ ରୋକି ହେବ ।