ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନେ ପୁଣି ଥରେ ଫାଶୀ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି । କୋର୍ଟଙ୍କ ଆଗାମୀ ଆଦେଶ ନଆସିବା ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବ ନାହିଁ ।
ପଟିଆଲା ହାଉସକୋର୍ଟଙ୍କ ରାୟ ପୁର୍ବରୁ ନିର୍ଭୟାଙ୍କ ମା’ ଆଶା ଦେବୀ ଗଣମାଧ୍ୟମକୁ ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ ଯାହା ଶୁଣି ସମସ୍ତେ ହତବାକ ହୋଇ ଯାଇଥିଲେ । ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ ଘଟାଇ ଥିବା ଦୋଷୀମାନଙ୍କୁ ବଞ୍ଚାଇବା ପାଇଁ ଜଣେ ଓକିଲ ଏତେ ଦମ୍ଭୋକ୍ତି ପ୍ରକାଶ କରିପାରନ୍ତି ତାହା ହୁଏତ କେହି ଗ୍ରହଣ କରିନପାରନ୍ତି ।
କୋର୍ଟରେ ଆଜି ଦୋଷୀ ଅକ୍ଷୟ ସିଂହ ର ପିଟିସନର ଶୁଣାଣୀ ପୂର୍ବରୁ ଦୋଷୀମାନଙ୍କର ଓକିଲ ଏପି.ସିଂ ସେ ଫାଶୀ ଟାଳିବା ନେଇ ନିର୍ଭୟାଙ୍କ ମା’ଙ୍କୁ ଚ୍ୟାଲେଞ୍ଜ କରିଥିଲେ ବୋଲି ନିଜେ ନିର୍ଭୟାଙ୍କ ମା’ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ଆସନ୍ତାକାଲି ସକାଳ ୬ଟାରେ ଫାଶୀ ଦିଆଯିବା ନେଇ ଡେଥ ୱାରେଣ୍ଟ ଜାରି କରାଯାଇଥିଲେ ସତ୍ତେ୍ୱ ୪ଦୋଷୀ କୋର୍ଟଙ୍କ ସବୁ ରାୟକୁ ଚ୍ୟାଲେଞ୍ଜ କରି ଶେଷରେ ବଞ୍ଚିଯାଇଛନ୍ତି । ତେବେ ସେମାନଙ୍କୁ ବଞ୍ଚାଇବାରେ ମୁଖ୍ୟ ଭୂମିକା କେବଳ ଦୋଷୀମାନଙ୍କର ଓକିଲ ଏପି.ସିଂଙ୍କର ।
ନିଜେ ଆଇନର ରକ୍ଷକ ହୋଇ ନିର୍ଭୟା ଗଣଦୁଷ୍କର୍ମ ଭଳି ଲୋମଟାଙ୍କୁରା ଅପରାଧ ଘଟାଇଥିବା ଦୋଷୀମାନଙ୍କୁ ଆଇନର ଗଳାବାଟ ଦେଇ ରକ୍ଷା କରୁଥିବା ଓକିଲ ଏପି.ସିଂ, ଫାଶୀ ଟଳିଯିବା ନେଇ ଗଣମାଧ୍ୟମ ଆଗରେ ବେଶ ଖୁସି ଜାହିର କରିବା ସହିତ ପରୋକ୍ଷରେ ଦୋଷୀମାନଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।