ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ଦୋଷୀଙ୍କ ଫାଶୀକୁ ନେଇ ଆଜି ଦିଲ୍ଲୀ ହାଇ କୋର୍ଟରେ ଶୁଣାଣୀ ରହିଛି । ଫାଶୀ ଉପରେ ଲାଗିଥିବା ରୋକକୁ ଚ୍ୟାଲେଞ୍ଜ କରି ତିହାର ଜେଲ କତ୍ତୃପକ୍ଷ ଏକ ପିଟିସନ ଦେଇଥିଲେ । ଯେଉଁ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣୀ କରିବେ । ପଟିଆଲା ହାଉସକୋର୍ଟ ୪ ଅଭିଯୁକ୍ତଙ୍କ ଫାଶୀ ଉପରେ ଅନିଦ୍ଧିଷ୍ଟ କାଳ ପାଇଁ ରୋକ ଲଗାଇଛନ୍ତି । ପ୍ରଥମେ ଜାନୁଆରୀ ୨୨ ତାରିଖରେ ଏହି ୪ ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଅଭିଯୁକ୍ତମାନେ ଆଇନର ବିଭିନ୍ନ ଆଳ ଦେଖାଇ ଏହାକୁ ଫେବୃଆରୀ ୧ ତାରିଖକୁ ଘୁଞ୍ଚାଇବାରେ ସଫଳ ହୋଇଥିଲେ ।
ପରେ ପୁଣି ଆଇନରେ ଥିବା ବିଭିନ୍ନ ବିକଳ୍ପ ଦେଖାଇ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗତ ଶୁକ୍ରବାର କୋର୍ଟ ଫାଶୀ ଉପରେ ରୋକ ଲଗାଇବା ସହିତ ଏହାକୁ ଅନିଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣୀ କେବେ ହେବ ସେନେଇ ମଧ୍ୟ ସୂଚନା ଦେଇନାହାନ୍ତି । ଯାହାକୁ ଏବେ ଚ୍ୟାଲେଞ୍ଜ କରିଛି ତିହାର ଜେଲ । ସୂଚନାଯୋଗ୍ୟ ଗତକାଲି ଦୋଷୀ ଅକ୍ଷୟ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜକ୍ଷମା ଆବେଦନ କରିଛି । ସେହିଭଳି ଗତକାଲି ଅଭିଯୁକ୍ତ ବିନୟର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେଇଛନ୍ତି । ଏବେ ବିନୟ ପାଖରେ ରାଜକ୍ଷମା ଆବେଦନ ସରିଥିବା ବେଳେ ସେ କେବଳ ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରି ପାରିବ ।