କଟକ ( ଏଟିଆର ବ୍ୟୁରୋ): ଆର ପାରିରେ ବିପ୍ଳବୀ କବି ରବି ସିଂ । ଆଜି ୮୯ ବୟସରେ ତାଙ୍କ କଟକ ବାସ ଭବନରେ ତାଙ୍କର ପରଲୋକ ହୋଇଛି । ରବି ସିଂଙ୍କ ବିୟୋଗକୁ ନେଇ ଆଜି ସାହିତ୍ୟକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ଆଜି ତାଙ୍କର ପରଲୋକ ହୋଇଛି । ଏହି ମହାନ କବି ୧୯୩୫ ମସିହା ଫେବୃଆରୀ ୧୮ ତାରିଖରେ ଜଗତସିଂହପୁର ଜିଲ୍ଲାର ନବାପାଟଣାରେ ଜନ୍ମଗ୍ରହଣ କରିଥିଲେ ।
ରବି ସିଂ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଏବଂ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇଥିଲେ। ତାଙ୍କ ଲିଖିତ କୃତି ଗୁଡିକ ମଧ୍ୟରେ ଚରମପତ୍ର, ଶିଥିଳ ବଲ୍ଗା, ପାଗୋଡାର ପ୍ରେତ, ଭ୍ରୁକୁଟି, ବିଦୀର୍ଣ୍ଣ, ପାଦଟୀକା, ଅପ୍ରୀତିକର କବିତା, ଜ୍ବଳାର ମାଳା, କ୍ଷତ, ସର୍ବହରା, ବିଷବାଣୀ ବେଶ ଲୋକପ୍ରିୟତା ପାଇଥିଲା । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କ ଅନ୍ତିମ ସଂସ୍କାର କଟକର ସତୀ ଚଉରାରେ କରାଯିବ ବୋଲି ଜଣା ପଡିଛି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି ଯେ ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ସେ ଜାଣି ସେ ଅତ୍ୟନ୍ତ ଦୁଃଖିତ । ଓଡିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ପାଇଁ ରବି ସିଂଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସଦା ସର୍ବଦା ସ୍ମରଣୀୟ କରି ରଖିବ । ଏହା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ଖବର ଶୁଣି ସେ ଅତ୍ୟନ୍ତ ମର୍ମାହତ । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏହା ସହ ସେ କବିଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।