ଭୁବନେଶ୍ୱର(ଏଟିଆର ଏକ୍ସକ୍ଲୁସିଭ): ଭୁବନେଶ୍ୱର କମିଶନରେଟର ପୂର୍ବତନ ଡିସିପି ହିଂମାଶୁ ଲାଲଙ୍କୁ ନେଇ ପୁଲିସ ବିଭାଗରେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରୀୟ ଡେପ୍ୟୁଟେସନ ସାରି ଓଡ଼ିଶା ଫେରିବା ପରେ ଶ୍ରୀ ଲାଲ ଜଏନିଂ ରିପୋର୍ଟ ଦେଇ ପୁଣି ଫେରାଇ ନେଇଛନ୍ତି । ପ୍ରଥମ ଥର ପାଇଁ ଜଣେ ଆଇପିଏସ ଅଫିସରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପୁଲିସ ମହଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
୨୦୦୮ ମସିହାରେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରିଥିବା ୨୦୦୩ ବ୍ୟାଚ୍ ର ଆଇପିଏସ ଅଫିସର ହିଂମାଶୁ ଲାଲ ୨୦୧୨ ନଭେମ୍ବର ୧ ତାରିଖରୁ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯାଇ ଭାରତ ସରକାରଙ୍କ ରାଜସ୍ୱ ପରିଚାଳନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ (ଏଫୋର୍ସମେଣ୍ଟ) ଭାବେ କାର୍ଯ୍ୟ କରିଥିଲେ ।
ଏପ୍ରେଲ ୧ ତାରିଖରୁ ସେ ଡେପ୍ୟୁଟେସନ ସାରି ଡିଆଇଜି ଭାବେ ଓଡ଼ିଶା ପୁଲିସରେ ଯୋଗ ଦେବା କଥା । ନିୟମ ଅନୁଯାୟୀ, ପୁଲିସ ମୁଖ୍ୟାଳୟରେ ସେ ଜଏନିଂ ରିପୋର୍ଟ ଦେଇଥିଲେ । କିନ୍ତୁ କୌଣସି ଏକ ଅଜଣା କାରଣ ପାଇଁ ୪୮ ଘଣ୍ଟା ନ ପୁରୁଣୁ ଶ୍ରୀ ଲାଲ ତାଙ୍କ ଜଏନିଂ ରିପୋର୍ଟ ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି । କିନ୍ତୁ ଏହାପଛରେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସମ୍ଭବତଃ ଶ୍ରୀ ଲାଲ ପୁଣି କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବାକୁ ମନ ବଳାଇଛନ୍ତି । କିନ୍ତୁ ଏହି ଘଟଣାକୁ ନେଇ ପୁଲିସ ବିଭାଗରେ ଚାପ୍ପା ଗୁଞ୍ଜରଣ ସୃଷ୍ଟି ହୋଇଛି ।