ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବିଶ୍ୱ କର୍କଟ ଦିବସ । ଦିନକୁ ଦିନ ଯେଉଁଭଳି ଭାବେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜିର ଦିନକୁ ସ୍ମରଣୀୟ କରିବା ସହିତ ଲୋକଙ୍କୁ ସଚେତନ କରିବା ପାଇଁ ଆଜିର ଦିନକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଇ ଆସୁଛି । କର୍କଟ ରୋଗ ବିଷୟରେ ଲୋକମାନଙ୍କୁ ଶକ୍ଷିତ ଓ ସଚେତନ କରାଇବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ରହିଛି । କ୍ୟାନସର ଏକ ବହୁ ମାରାତ୍ମକ ରୋଗ । ଯାହା ଥରେ ମଣିଷକୁ ଗ୍ରାସକଲେ ଆଉ ମଣିଷର ଆୟୁ କମିଯାଏ । ତେବେ ଆମ ରାଜ୍ୟରେ ମଧ୍ୟ ଏବେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସୂଚନା ଅନୁସାରେ ରାଜ୍ୟରେ ଏବେ ବର୍ଷକୁ ପ୍ରାୟ ୪୫ ରୁ ୫୦ ହଜାର କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଉଛି । ସେହିଭଳି ଏପର୍ଯ୍ୟନ୍ତ ରାଜ୍ୟରେ ୧.୮ ଲକ୍ଷ ଆକ୍ରାନ୍ତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ଏବେ ତମାଖୁ ସେବନ ଜନିତ କ୍ୟାନସର ବଢିବାରେ ଲାଗିଛି । ସେହିଭଳି ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ବୃଦ୍ଧି ପାଉଛି । ଅନ୍ୟପଟେ ଏକ ସର୍ଭେରୁ ଜଣାପଡିଛି ଏବେ ନାବାଳକ ତମାଖୁ ସେବନକାରୀଙ୍କ ମଧ୍ୟରେ ସାରା ଦେଶରେ ଓଡିଶାର ସ୍ଥାନ ରହିଛି ତୃତୀୟରେ ।