କୁପୱାଡା (ଏଟିଆର ବ୍ୟୁରୋ): ପାକିସ୍ତାନ ନିଜ ହରକଦରୁ ବାଦ ଆସୁନାହିଁ । ବାରମ୍ବାର ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ସହ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଭାରତୀୟ ସୀମାରେ ମଧ୍ୟକୁ ପ୍ରବେଶ କରିବା ପାଇଁ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରୁଛି । ଅନ୍ୟପଟେ ଗତକାଲି ପୁଣି ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି । ତେବେ ଏହି ଅସ୍ତ୍ରବିରତି ଉଲଂଘନ ଫଳରେ ଜଣେ ଭାରତୀୟ ନାଗରିକଙ୍କର ମୁତ୍ୟୃ ହୋଇଥିବା ଜଣାପଡିଛି । ସେହିଭଳି ଗୁଳିମାଡରେ ୪ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପକ୍ଷରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି । ଗତକାଲି ଉତ୍ତର କାଶ୍ମୀରର କୁପୱାଡାରେ ପାକିସ୍ତାନ ପକ୍ଷରୁ ଅଚାନକ ଗୁଳିବର୍ଷା ହୋଇଥିଲା । ତେବେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳି ବର୍ଷା ଫଳରେ ଜଣେ ସାଧାରଣ ଲୋକଙ୍କର ମୁତ୍ୟୃ ଘଟିଥିଲା । ଜାତୀୟ ଗଣମାଧ୍ୟମକୁ ଜଣେ ସୁରକ୍ଷାକର୍ମୀ ସୂଚନା ଦେଇ କହିଛନ୍ତି, ପାକିସ୍ତାନୀ ସୈନିକଙ୍କ ଗୁଳିବର୍ଷା ଫଳରେ ଜଣେ ଭାରତୀୟ ନାଗରିକଙ୍କର ମୁତ୍ୟୁ ଘଟିଥିଲା । ଏହି ଘଟଣା ପରେ ଭାରତୀୟ ସେନା ମଧ୍ୟ କଡ଼ା ଜବାବ ଦେଇଥିଲା । ମିଳିଥିବା ସୂଚନାଅନୁସାରେ ପାକିସ୍ତାନ କୁପୱାଡା ଜିଲ୍ଲାର ତଙ୍ଗଧାର ସେକ୍ଟରକୁ ମଧ୍ୟ ଟାର୍ଗେଟ କରିଥିଲା ।