ବ୍ରହ୍ମପୁର,(ସ୍ୱତନ୍ତ୍ର ପ୍ରିତିନିଧି): ବିଚ ବଜାରରେ ନକଲି ଗୁଟଖା କାରବାର ହେଉଛି । ଜନଗହଳୀ ସ୍ଥାନରେ ବେଟିଂ ଲାଗୁଛି । କୋଟି ଟଙ୍କାର କଳାବଜାରୀ ଚଳାଇଥିବାର ମାଷ୍ଟରମାଇଣ୍ଡ ପାଖରେ କିନ୍ତୁ ପହଞ୍ଚିପାରୁନି ପୁଲିସ । ଅସଲ ଅଭିଯୁକ୍ତଙ୍କୁ ଧରିବା ବେଳକୁ ହାତ କେମ୍ପା ମାରିଯାଉଛି । ଅଭିଯୋଗ ହୋଇଛି ମୋଟା ଅଙ୍କର କାରବାର ହିଁ ମୁହଁ ବଙ୍କା କରିଦେଇଛି ପୁଲିସର । କେବଳ ଏତିକି ନୁହେଁ ଯଦିବା ବଡ଼ବଡ଼ିଆଙ୍କ ଚାପ ପଡୁଛି ସେତେବେଳେ କେରାଣ୍ଡିକୁ ଧରି ବାହାବାଃ ମାରିବାରେ ଆଦୌ ହେଳା କରୁନି ପୁଲିସ । ଅଭିଯୋଗ ହୋଇଛି ଏଭଳି ଦୋଗଲାମିରେ ମାତିଛି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ । ଯାହାକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।
ଅନୁସନ୍ଧାନରୁ ଜଣାପଡିଛି ବଡ଼ବଜାର ଥାନା ଅଞ୍ଚଳରେ ବ୍ୟାପକ ନକଲି ଗୁଟଖା କାରବାର ଚାଲିଛି । ଆଇପିଏଲ ମ୍ୟାଚ ହେଲେ ତ’ କଥା ସରିଲା । ଲାଗୁଛି କୋଟି କୋଟି ଟଙ୍କାର ବେଟିଂ । ଯାହାର ନିଚ୍ଛକ ଉଦାହରଣ ୪ଦିନ ତଳେ ଧରାପଡିଥିବା ଅଭିଯୁକ୍ତମାନେ । କିନ୍ତୁ ଦୁଃଖର ବିଷୟ ପୁଲିସ ସିନା ଅଭିଯୁକ୍ତଙ୍କୁ ଗିରଫ କଲା ହେଲେ ମାଷ୍ଟର ମାଇଣ୍ଡ କିଏ ତାହା ସ୍ପଷ୍ଟ କଲାନାହିଁ । ଶୁଣିବାକୁ ମିଳୁଛି ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ କେବଳ ଏଜେଣ୍ଟ । ମାଷ୍ଟରମାଇଣ୍ଡ ପାଖରେ ଏବେ ବି ପହଞ୍ଚିପାରିନି ପୁଲିସ । କେବଳ କେରାଣ୍ଡିକୁ ଧରି ନିଜର ଛାତି ଚଉଡା କରିଛି । ଏଠି ପ୍ରଶ୍ନ ମାଷ୍ଟରମାଇଣ୍ଡ କିଏ ତାହା ସତରେ ପୁଲିସ ଜାଣିନି ନା’ ଜାଣି ଜାଣି ଏଭଳି ଅଭିନୟ କରୁଛି । ସେପଟେ ଜଣେ ବ୍ୟକ୍ତି ନିଜ ନାମକୁ ଗୋପନ ରଖି କହିଛନ୍ତି ପୁଲିସ ସବୁ ଜାଣୁଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ବେଳକୁ କୁନ୍ଥକୁନ୍ଥ ।
ଖାସ ଏଥିପାଇଁ ଅପରାଧୀ ଓ ଦୋନମ୍ବରୀ ବ୍ୟବସାୟୀଙ୍କ ପାଇଁ ଏବେ ଆଡ୍ଡାସ୍ଥଳୀ ପାଲଟିଛି ବଡ଼ବଜାର ଥାନା ଅଞ୍ଚଳ । ସବୁଠୁ ବଡ଼ କଥା ହେଉଛି ୧୦୦ରୁ ଅଧିକ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ବୁକିମାନେ ସାମ୍ରାଜ୍ୟ ବିସ୍ତାର କରୁଥିବା ବେଳେ ପୁଲିସ ପାଖରେ ଏନେଇ ଖବର ନପହଞ୍ଚିବା ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା କରିଛି । ରିପୋର୍ଟ କହୁଛି ଜୈନିକ ବୁକି ଗତ ୩ବର୍ଷ ହେଲା ଏହି ଅଞ୍ଚଳରେ ଆଡ୍ଡା ଜମାଇଥିବା ବେଳେ ପୁଲିସ ତାକୁ ଗିରଫ କରିବାକୁ ପଛଘୁଞ୍ଚା ଦେବା ଘଟଣା ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ଅନୁସନ୍ଧାନରୁ ଜଣାପଡିଛି ଏହି କୁଖ୍ୟାତ ବୁକିର ଦିନକୁ ଇନକମ ପାଖାପାଖି ୧୫ଲକ୍ଷ ଟଙ୍କା । ବିଭାଗୀୟ ଅଧିକାରୀ ତୁରନ୍ତ ଥାନା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।