ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଜୁନ ୧ ରୁ ଲାଗୁ ହେବ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ । ଏନେଇ ଆଜି ଗୃହରେ ଘୋଷଣା କରଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ୧୨ ଟି ରାଜ୍ୟରେ ଲାଗୁ କରାଯାଇଛି । ଖାଉଟି ଓ ଖାଦ୍ୟ ଯୋଗାଣମନ୍ତ୍ରୀ ରାମ ବିଳାଶ ପାସୱାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦେଶରେ ଏହି ନିୟମ ଲାଗୁହେଲେ ସମସ୍ତ ରାସନକାର୍ଡ ଭୋଗୀ ଏହାର ସୁବିଧା ଉଠାଇପାରିବେ । ସାରା ଦେଶରେ ସେ ଯେଉଁଠି ଥିଲେ ମଧ୍ୟ ସହଜରେ ନିଜ ରାସନ କାର୍ଡ ପାଇ ପାରିବେ ।
ସେ ଆହୁରି ମଧ୍ୟ କହିଛନ୍ତି ଏଥିପାଇଁ ଆଉ ନୂଆକାର୍ଡର ଆବଶ୍ୟକତା ନାହିଁ । ଯେଉଁ କାର୍ଡ ପୂର୍ବରୁ ରହିଥିଲା ସେଇ କାର୍ଡ ବଳବତ୍ତର ରହିବ । କାର୍ଡ ପରିବର୍ତ୍ତନ କଥାକୁ ସେ ଗୁଜବ କହିବା ସହିତ ଆବଶ୍ୟକ ସ୍ଥଳେ ସିବିଆଇ ତଦନ୍ତ କରାଯିବ ବୋଲି କହିଛନ୍ତି । ବଜେଟର ସପ୍ତମ ଦିନରେ ଆଜି ବିରୋଧୀ ଯୋରଦାର ହଙ୍ଗାମା କରିଛନ୍ତି । ଆଜି ୩ ଥର ଗୃହ ମୁଲତବୀ ହୋଇଛି । ବାଚସ୍ପତ୍ତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ।