ଅହମଦାବାଦ(ଏଟିଆର ବ୍ୟୁରୋ): ଗୁଜୁରାଟର ଅହମଦାବାଦରେ ଗତକାଲି ଉଭୟ ହିନ୍ଦୁ-ମୁସଲିମଙ୍କ ପାଇଁ ମିଳିତ ଗଣ ବିବାହର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୧୧୦୦ ଯୋଡିଙ୍କ ବିବାହ ସମ୍ପନ୍ନ ହୋଇଛି ।
ହିନ୍ଦୁ ଓ ମୁସଲିମ ପରମ୍ପରା ଅନୁଯାଇ ବିବାହ କରାଯାଇଛି ଏବଂ ନବ ବିବାହିତ ଦମ୍ପତିଙ୍କୁ ପାରଂପାରିକ ଭାବରେ ଉପହାର ମଧ୍ୟ ଦିଆଯାଇଛି । ଏହି ଗଣ ବିବାହ ଆୟୋଜନଟି ଆୟୋଜକଙ୍କ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷପ ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି । ସମ୍ପୂର୍ଣ୍ଣ ଗଣ ବିବାହ କାର୍ଯ୍ୟକ୍ରମ ଏକ ଘରୋଇ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିଲା ।
ଏଭଳି କାର୍ଯ୍ୟକ୍ରମରେ ବହୁ ଗରିବ ଲୋକ ଉପକୃତ ହୋଇଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି । ଯେଉଁ ଗରିବ ଲୋକମାନେ ଅର୍ଥ ଅଭାବରୁ ନିଜ ସନ୍ତାନମାନଙ୍କର ବିବାହ କରିପାରୁନଥିଲେ, ଏହି ଗଣ ବିବାହ ଦ୍ୱାରା ସେମାନେ ସେମାନଙ୍କ ପୁଅ ଝିଅଙ୍କ ବିବାହ କରିପାରିଛନ୍ତି ।