ଢେଙ୍କାନାଳ(ଏଟିଆର ବ୍ୟୁରୋ):ଢେଙ୍କାନାଳରେ ସିଟି ହସ୍ପିଟାଲ ଦାବିକୁ ନେଇ ଆସନ୍ତା ୧୪ ତାରିଖ ଦିନ ବନ୍ଦ ପାଳନ କରାଯିବ । ଏନେଇ ଗତକାଲି ଢେଙ୍କାନାଳ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ବସିଥିଲା । ସୂଚନା ଅନୁସାରେ ଢେଙ୍କାନାଳ ସହର ବାଜିଚୌକ ଠାରେ ଥିବା ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ ଦାବି ନେଇ ୧୪ ତାରିଖ ଦିନ ଢେଙ୍କାନାଳ ବନ୍ଦ ପାଳନ କରାଯିବ ।
ଏହା ସହ ଦକ୍ଷିଣକାଳୀ ନିକଟରେ ନୂଆକରି ପ୍ରତିଷ୍ଠା ହୋଇଥିବା ୭ ମହଲା ବିଶିଷ୍ଠ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ କରିବାକୁ ଦାବି କରାଯାଇ ଏହି ବନ୍ଦ ପାଳନ କରାଯିବ । ଏହି ବନ୍ଦ ସକାଳ ୬ଟା ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରାଯିବ । ବନ୍ଦ ବେଳେ ସମସ୍ତ ସରକାରୀ, ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ଓ ଯାନବାହନ ଚଳାଚଳକୁ ବନ୍ଦ ରଖାଯିବ ବୋଲି ନିଷ୍ପତି ନିଆଯାଇଛି ।
ସୂଚନା ଯେଗ୍ୟ ଦକ୍ଷିଣକାଳୀ ଅଞ୍ଚଳକୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ହେବା ପରେ ପୁରୁଣା ମୁଖ୍ୟ ଚିକିତ୍ସାଳୟ ବନ୍ଦ ହୋଇ ରହିଥିଲା । ଫଳରେ ସେଠାରେ ଅସମାଜିକ ବ୍ୟକ୍ତି ମାନଙ୍କ ପେଣ୍ଠସ୍ଥଳୀ ପାଳଟି ଯାଇଥିଲା । ଏହାକୁ ନେଇ ସେଠାରେ ସିଟି ହସ୍ପିଟାଲ କରାଯାଉ ବୋଲି ଦାବି କରାଯାଉଥିଲା । ହେଲେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନିଆଯାଉ ନଥିଲା । ତେବେ ଏହି ନିକଟରେ ବରଗଡରେ ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ କରାଯାଉ ବୋଲି ଦାବି ନେଇ ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଏହା ପରେ ପ୍ରଶାସନ ପକ୍ଷରୁ ସେଠାରେ ପୁଣି ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା ।