ମୁମ୍ବାଇ (ଏଟିଆର ବ୍ୟୁରୋ): ନକଲି ନୋଟକୁ ରୋକିବା ପାଇଁ ଭାରତ ସରକାର ବିମୁଦ୍ରିକରଣ ଭଳି ବଡ ପଦକ୍ଷେପ ନେଇଥିଲେ । ଯାହାର ମୂଳ ଲକ୍ଷ୍ୟ ରହିଥିଲା ନକଲି ନୋଟ ଓ କଳାଧନ । ଯେଉଁଥିପାଇଁ ୫୦୦ ଟଙ୍କିଆ ନୋଟକୁ ଅଚଳ କରି ଦେଇଥିଲେ । ଏବଂ ପରେ ୨୦୦୦ ଟଙ୍କିଆ ନୋଟକୁ ଛପାଇଥିଲେ । କୁହାଯାଏ ଏହି ୨ ହଜାର ଟଙ୍କିଆ ନୋଟକୁ ନକଲ କରିବା ଏତେ ସହଜ ହେବ ନାହିଁ । ମାତ୍ର ଏବେ ମୁମ୍ବାଇ ବିମାନ ବନ୍ଦରରୁ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଯାହାଙ୍କ ପାଖରୁ ୨୪ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଏଥିରେ କେବଳ ୨୦୦୦ ଟଙ୍କିଆ ନକଲି ନୋଟ ଜବତ ହୋଇଛି । ବ୍ୟକ୍ତି ଜଣଙ୍କ ପାକିସ୍ତାନର ବୋଲି ଜଣା ପଡିଛି ।
ସୂଚନା ଅନୁସାେରେ ଗତକାଲି ଯୁବକ ଜଣଙ୍କ ଦୁବାଇରୁ ମୁମ୍ବାଇ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରୁ ତାଙ୍କ ୁପରେ ପୋଲିସର ସନ୍ଦେହ ହେବାରୁ ପୋଲିସ ଛାନଭିନ ଆରମ୍ଭ କରିଥିଲା । ପରେ ପୋଲିସ ଯୁବକର ଟ୍ରଲି ବ୍ୟାଗରୁ ଏହି ନକଲି ଟଙ୍କା ଜବତ କରିଥିଲା । ଅଧିକ ପଚରାଉଚରାରୁ ଜଣା ପଡିଛି ଏହି ସବୁ ଟଙ୍କା ପାକିସ୍ତାନରେ ଛପା ହୋଇଛି । ଅସଲି ନୋଟ ସହିତ ଏହାର ୭ ଟି ସିମ୍ବଲ ମିଶି ଯାଉଛି । ମାତ୍ର ୩ ଟି ମିଶିନାହିଁ । ଲୋକଟିକୁ ପ୍ରଥମେ ଦୁବାଇ ପଠାଯାଇଥିଲା । ପରେ ସେଠାରୁ ସେ ଭାରତ ନେଇ ଏଇ ଟଙ୍କା ଆଣି ଆସିଥିଲା । ତେବେ ଏଯାବତ ସ୍ପଷ୍ଟ ହୋଇନାହିଁ ସେ ଏହି ନକଲି ଟଙ୍କା କାହାକୁ ଦେବାକୁ ଆଣିଥିଲା । ସେନେଇ ପୋଲିସ ଛାନଭିନ ଆରମ୍ଭ କରି ଦେଇଛି ।