ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବିଭିନ୍ନ ସ୍ଥାନରେ ପ୍ରଶାସନ ସହରବାସୀଙ୍କର ସୁଖ ଦୁଃଖ ବୁଝୁନଥିବା ଅଭିଯୋଗ ଆସିଥାଏ । ବଡ ବଡ ବାବୁମାନେ ଏସି ରୁମରେ ବସିବା ସହ କାରରେ ବୁଲି କାମ କରିଥାନ୍ତି । ଯାହାଫଳରେ ଲୋକଙ୍କ ମନରେ ପ୍ରଶାସନ ପ୍ରତି ଅସନ୍ତୋଷଭାବ ସୃଷ୍ଟି ହୋଇଥାଏ । ହେଲେ ଏବେ ବି ଏମିତି କିଛି ପ୍ରଶାସନିକ ଅଧିକାରୀ ଅଛନ୍ତି ଯେ ଲୋକଙ୍କ ପାଖକୁ ଯିବା ସହ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥାନ୍ତି । ତେବେ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଯେଉଁଠି ଜିଲ୍ଲାପାଳ ସାଇକେଲ ଯୋଗେ ସହର ବୁଲିବା ସହ ଲୋକମାନଙ୍କର ସୁବିଧା ଅସୁବିଧା ପଚାରି ବୁଛିବା ସହ ନିୟମ ଖିଲାଫକାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନାନୁଯାୟୀ ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲ ଯୋଗେ ଛତ୍ରପୁର ବୁଲି ସେଠାକାର ସ୍ଥିତି ପରଖିଥିଲେ । ଜିଲ୍ଲାପାଳ ବିଶେଷ କରି ସହରରେ ଥିବା ଚା’ ଓ ପରିବା ଦୋକାନ ବୁଲିଥିଲେ । ଏବଂ ଯେଉଁ ବ୍ୟବସାୟୀମାନେ ପଲିଥିନ ବ୍ୟବହାର କରିବା ସହ ରାସ୍ତା ଘାଟ ଅଳିଆ ଆବର୍ଜନା ପକାଇଛନ୍ତି ସେମାନଙ୍କୁ ତାଗିଦ କରିଥିଲେ ଜିଲ୍ଲାପାଳ । ଏହାବ୍ୟତିତ ପଲିଥିନ ବ୍ୟବହାର କରୁଥିବା ୫ ଦୋକାନୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଜରିମାନ ପକାଇଥିଲେ । ଖାଲି ସେତି କି ନୁହେଁ ଏହି ସମୟରେ ଏକ ମଦ ଦୋକାନ ବାହାରେ ପ୍ଲାଷ୍ଟିକ ଗ୍ଲାସ ପଡିଥିବା ଦେଖି ଉକ୍ତ ଦୋକାନୀଙ୍କଠାରୁ ଜରିମାନା ଆଦାୟ କରିଥିଲେ। ଏଥିସହ ଦୋକାନୀମାନଙ୍କୁ ଡ୍ରେନରେ ଆବର୍ଜନା ନ ପକାଇ ଡଷ୍ଟବିନ ବ୍ୟବହାର କରିବାକୁ ତାଗିଦ କରିଥିଲେ। ଜିଲ୍ଳାପାଳ ପରିବା ମାର୍କେଟ, ବସଷ୍ଟାଣ୍ଡ ବୁଲି ସାଧାରଣ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । କିଛି ଦିନ ତଳେ ବ୍ରହ୍ମପୁର ସହରରେ ରାତିରେ ବୁଲି ଲୋକଙ୍କୁ ଆବର୍ଜନା ବାହାରେ ନ ପକାଇବା ପାଇଁ କହି ଜରିମାନା ଆଦାୟ କରିଥିଲେ।