କରୋନା ଏବେ ଚାଇନାରେ ବେକାବୁ ହୋଇ ଗଲାଣି । କାରଣ ଏବେ ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୧୩୬୦ ପହଞ୍ଚିଲାଣି । ସବୁଠାରୁ ବଡ କଥା ହେଲା ଗତକାଲି କରୋନାରେ ମୃତ୍ୟୁ ସଂଖ୍ୟା ରହିଛି ୨୬୦ ଜଣଙ୍କର । ଅନ୍ୟପଟେ ଏବେ ଜଣା ପଡିଛି ଚୀନରେ ସରକାରୀ ସ୍ତରରେ ଘୋଷଣା କରାଯାଉଥିବା ମୃତ୍ୟୁ ସଂଖ୍ୟା ଠାରୁ ଢେର ଅଧିକ ରହିଛି । ଶ୍ମଶାନ ଘାଟରେ କାମ କରୁଥିବା ଲୋକଙ୍କ କହିବା ଅନୁସାରେ ପ୍ରତ୍ୟକ ଦିନ ଉହାନରୁ କେବଳ ଶତାଧିକ ଲୋକଙ୍କର ମୃତ୍ୟୁ ହେଉଛି । ଏବେ ଚୀନରେ ଯେଉଁଭଳି ଭାବେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହି ଅନୁପାତରେ ଏବେ ଚୀନରେ ମେଡିକାଲର ବେଡ ନାହିଁ । ଏବେ ପର୍ଯ୍ୟନ୍ତ ମଧ୍ୟ କରୋନାର ପ୍ରତିଶେଧକ ବାହାର କରି ପାରିନାହିଁ ଚୀନ ।
ଗତ ଡିସେମ୍ବର ୩୧ ରେ ପ୍ରଥମେ ଏହି ଭାଇରସ ଚିହ୍ନଟ ହୋଇଥିଲା । ଅନ୍ୟପଟେ ଏବେ ଭାରତରେ ଆଉ ଗୋଟେ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଭୂତାଣୁ ଭୟରେ ଆତ୍ମହତ୍ୟା କରିଥିବା ଜଣା ପଡିଛି । ତାଙ୍କୁ ଗତ କିଛିଦିନ ହେଲା ଥଣ୍ଡା ଜ୍ୱର ଲାଗି ରହିଥିଲା । ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ମାତ୍ର ସେ ସନ୍ଦେହ କରିଥିଲେ ହୁଏତ ତାଙ୍କୁ କରୋନା ଭାଇରସ ହୋଇଛି କାଳେ ଏହି ଭାଇରସ ପରିବାରର ଅନ୍ୟ କାହାକୁ ବ୍ୟାପିଯିବ ତେଣୁ ସେ ଆତ୍ମହତ୍ୟା କରିଦେଲେ । ସେ ଗତକାଲି ଘର ଛାଡି ଯାଇଥିଲେ । ଆଜି ତାଙ୍କର ମୃତ ଦେହ ଶ୍ମଶାନ ପାଖରୁ ମିଳିଛି ।