ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜନୈତିକ ଦଳ ଗୁଡିକରେ ଅପରାଧୀ ନେତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ଉପରେ ନଜର ରଖିବା ପାଇଁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଆଜି ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣିରେ ସମସ୍ତ ରାଜନୈତିକ ଦଳ ଗୁଡିକୁ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସମସ୍ତ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ କେଉଁ ଆଧାରରେ ଜଣେ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କୁ ନିର୍ବାଚନ ସମୟରେ ଟିକେଟ ଦେଲେ ଏ ବାବଦରେ ଜବାବ ରଖନ୍ତୁ ।
ସୂଚନାନୁଯାୟୀ, ଏକ ଆବେଦନର ଶୁଣାଣି କରିବାକୁ ଯାଇ ଜଷ୍ଟିସ ଆର ଏଫ ନରିମନ ଓ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ସମସ୍ତ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସମୟରେ ଅଂଶ ଗ୍ରହଣ କରିଥିବା ସମସ୍ତ ପାର୍ଥୀଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ ୪୮ ଘଣ୍ଟା ମଧ୍ୟରେ ନିଜ ନିଜ ୱେବସାଇଡରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହାସହ ନିର୍ବାଚନ କମିଶନ ନିକଟରେ ସମସ୍ତ ତଥ୍ୟ ୭୨ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ରାଜନୈତିକ ଦଳମାନେ ଏହି ନିର୍ଦ୍ଦେଶ ନମାନିବେ ତେବେ ସେମାନଙ୍କ ଉପରେ କୋର୍ଟର ଅବମାନନା ମାମଲା ରୁଜୁ ହେବ ବୋଲି ଜଷ୍ଟିସ ଆର ଏଫ ନରିମନ ଓ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ କହିଛନ୍ତି । ସୁପ୍ରିମକୋର୍ଟରେ ରାଜନୈତିକ ଦଳଗୁଡିକୁ ଅପରାଧୀ ମୁକ୍ତ ନେତା କରିବା ପ୍ରସଙ୍ଗରେ ହୋଇଥିବା ଆବେଦନର ଅନ୍ୟତମ ଆବେଦନକାରୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏ ସମସ୍ତ ପ୍ରସଙ୍ଗରେ ନିଗର ମତ ରଖିଛନ୍ତି ।
ସେ କହିଛନ୍ତି ରାଜନୈତିରୁ ଅପରାଧୀ ନେତା ମୁକ୍ତ ହେବା ପାଇଁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଦରକାର ଏହାଛଡା ନିର୍ବାଚନ ଆୟୋଗ ମଧ୍ୟ ନିୟମକୁ କଡାକଡି କରିବା ଦରକାର ଯାହାଦ୍ୱାରା ଅପରାଧୀ ନେତା ଆଉ ଟିକେଟ ପାଇପାରିବେ ନାହିଁ । ତେବେ କୋର୍ଟ କହିଥିଲେ, ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ରିପୋର୍ଟ ତଲବ କରି ଏକ ଫ୍ରେମଓ୍ୱାର୍କ ତିଆରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଆବେଦନକାରୀ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ନିର୍ବାଚନ ଆୟୋଗ ମିଶି ପ୍ରସ୍ତାବ ଦେବା ଦରକାର। ଯାହାଦ୍ୱାରା ରାଜନୀତିରୁ ଦାଗି ବା ଅପରାଧୀ ନେତାଙ୍କ ଉପରେ ରୋକ ଲଗାଇବାକୁ ସୁଯୋଗ ମିଳିବ।