ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ମାମଲାର ୪ ଅଭିଯୁକ୍ତଙ୍କୁ ଫାଶୀ ହେବାର ତାରିଖ ଘୋଷଣା ହେବା ପରଠାରୁ ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଥିଲା । ଫାଶୀରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ଭୋକ ବିକଳରେ ତାଟିଆ କାମୁଡିଲା ଭଳି ଚାରିଆଡେ ଫାଶୀରୁ ମୁକୁଳିବା ପାଇଁ ଭିକ ମାଗିବାରେ ଲାଗିଛନ୍ତି । ଜଣଙ୍କ ପରେ ଜଣେ ରାଜକ୍ଷମା ପାଇବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରୁଥିଲେ ମଧ୍ୟ ରାଷ୍ଟ୍ରପତି ଏହି ଆବଦନକୁ ଖାରଜ କରିଦେଉଛନ୍ତି । ତେବେ ରାଷ୍ଟ୍ରପତି ସେମାନଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ସେମାନେ ପୁନଃବାର ସୁପ୍ରିମକୋର୍ଟର ଆଶରା ନେବାରେ ଲାଗିପଡିଛନ୍ତି ।
ଗତ ମଙ୍ଗଳବାରଦିନ ନିର୍ଭୟା ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା ରାଜକ୍ଷମା ଆବେଦନ ଖାରଜ ହେବା ପରେ ସୁପ୍ରିମକୋର୍ଟରେ ଏହା ଉପରେ ଏକ ପିଟିସନ ଦାଖଲ କରିଥିଲା । ଗତକାଲି ଅର୍ଥାତ ଗୁରୁବାର ଦିନ ସୁପ୍ରିମକୋର୍ଟ ଏହି ପିଟିସନକୁ ନେଇ ଦୁଇ ଘଣ୍ଟା ଧରି ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଜି ଅପରାହ୍ନରେ ୨ଟାରେ ଏହି ମାମଲାର ରାୟକୁ ପ୍ରକାଶ କରାଯିବ । ବିନୟ ଆବେଦନ କରିଥିବା ପିଟିସନର ଶୁଣାଣି ଜଷ୍ଟିସ ଆର ବାନୁମତି, ଅଶୋକ ଭୂଷଣ ଏବଂ ଏସସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ । ଗତକାଲି ବିନୟଙ୍କ ଓକିଲ ଏପି ସିଂହ ସୁପ୍ରିମକୋର୍ଟ ନିକଟରେ କହିଛନ୍ତି କି , ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ମନ୍ଦ ଉଦ୍ଦେଶ୍ୟ ରଖି ଖାରଜ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ମର୍ସି ପିଟିସନ ସହ ଯେତିକି ରେକର୍ଡ ଓ ଦସ୍ତାବିଜ ଦିଆଯାଇଥିଲା ତାକୁ ରାଷ୍ଟ୍ରପତିଙ୍କ ଆଗରେ ଉପସ୍ଥାପନ କରାଯାଇ ନାହିଁ । ଏହାଛଡା ବିନୟକୁ ତିହାର ଜେଲରେ ଅତି ଖରାପ ବ୍ୟବହାର କରାଯାଉଥିବାରୁ ସେ ମାନସିକ ରୋଗର ଶିକାର ହୋଇଥିବା ମଧ୍ୟ ବିିନୟଙ୍କ ଓକିଲ ଏପି ସିଂହ ସୁପ୍ରିମକୋର୍ଟଙ୍କ ନିକଟରେ ଦର୍ଶାଇଛନ୍ତି ।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିକଟରେ ବିନୟ, ତାର ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡାଦେଶ ଦିଆଯାଉ ବୋଲି ଆବେଦନ କରିଥିଲା । ତାକୁ ନେଇ ମଧ୍ୟ ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ । ଅପରପକ୍ଷରେ ବିନୟଙ୍କ ଓକିଲଙ୍କ ଅଭିଯୋଗର ଖଣ୍ଡନ କରି ପ୍ରତିପକ୍ଷ ଓକିଲ କହିଛନ୍ତି, ରାଷ୍ଟ୍ରପତିଙ୍କ ନିକଟକୁ ସମସ୍ତ ଦସ୍ତାବିଜ ସହ ରେକର୍ଡ ପ୍ରଦାନ କରାଯାଇଛି । ତେବେ ରାଷ୍ଟ୍ରପତି ସମସ୍ତ ଦସ୍ତାବିଜ ଅନୁଧ୍ୟାନ କରିସାରିବା ପରେ ମର୍ସି ପିଟିସନକୁ ଖାରଜ କରିଥିଲେ । ସେହିଭଳି ବିନୟର ସମସ୍ତ ମେଡିକାଲ ରିପୋର୍ଟ ଅନୁଯାୟୀ ତାର ମାନସିକ ସ୍ଥିତି ଠିକ ରହିଛି ବୋଲି ପ୍ରତିପକ୍ଷ ଓକିଲ ସୁପ୍ରିମକୋର୍ଟ ନିକଟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କର ଯୁକ୍ତି ଶୁଣିସାରିବା ପରେ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । ଯାହାର ଶୁଣାଣି ଆଜି ହେବ । ସେହିଭଳି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଷୀମାନଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ କରାଯାଇଥିବା ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ଆଜି କରିବେ ।