ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ କମିବାରେ ଲାଗୁଛି । ଯାହାଫଳରେ ଇଞ୍ଜିନିୟରିଂ କଲେଜଗୁଡିକର ଅବସ୍ଥା ସୋଚନୀୟ ହୋଇଗଲାଣି । ତେବେ ରାଜ୍ୟରେ ବର୍ତ୍ତମାନ ଷାଠିଏ ପ୍ରତିଶତ ଇଞ୍ଜିନିୟରିଂ କଲେଜର ସିଟ ଫାଙ୍କା ବୋଲି ଆଜି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ କଂଗ୍ରେସ ଦଳର ନେତା ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହା କହିଛନ୍ତି ।
ଆଜି ଗୃହରେ କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହୀନିପତି ରାଜ୍ୟରେ କେତେ ପରିମାଣର ଇଞ୍ଜିୟରିଂ କଲେଜ ରହିଛି ଓ କେତେ ସିଟ ଫାଙ୍କା ପଡିଛି ସେନେଇ ପ୍ରଶ୍ନ କରିଥିଲେ । ତେବେ ତାରାଙ୍କ ପ୍ରଶ୍ନ ଉତ୍ତର ଦେଇ ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୯୩ଟି ଇଞ୍ଜିନିୟରିଂ କଲେଜ ଓ ୧୬୩ଟି ଡିପ୍ଲୋମା କଲେଜ ରହିଛି । ତେବେ ଏହି ସବୁ କଲେଜରେ ୩୧,୧୭୪ ସିଟ ରହିଥିବା ବେଳେ ୧୯-୨୦ ଶିକ୍ଷା ବର୍ଷରେ ୧୧,୭୪୫ ସିଟ ନାମ ଲେଖା ହୋଇଛି ଏବଂ ୧୯,୪୨୯ଟି ଇଞ୍ଜିନିୟରିଂ ସିଟ ଫାଙ୍କା ପଡିଛି ।
ସେପଟେ ଇଞ୍ଜିନିୟରମାନଙ୍କୁ ରାଜ୍ୟରେ ଥିବା ଘରୋଇ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନେଉନଥିବା ଇଞ୍ଜିନିୟରିଂ ଶିକ୍ଷା ଠାରୁ ପିଲାମାନେ ଦୂରେଇ ଯାଉଛନ୍ତି । ଅନ୍ୟପଟେ ଉତ୍ତମ ପ୍ରଦର୍ଶନ କରୁନଥିବା ତଥା ରୁଗ୍ଣ ଅନୁଷ୍ଠାନକୁ ସହାୟତା କରିବା ପାଇଁ ସରକାର କୌଣସି ସାହାର୍ଯ୍ୟ କରିବେ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି କି ସରକାର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡିକୁ ସହାୟତା ଦେବା ସହ ପିଲାଙ୍କ ନିଯୁକ୍ତି ଦିଆଯାଉ ବୋଲି ସେ ଦାବି କରିଥିଲେ ।