ଭୁବନେଶ୍ୱର (ଏଟିଆ ବ୍ୟୁରୋ): ରାଜ୍ୟରେ ଥିବା ପଛୁଆବର୍ଗର ଲୋକମାନଙ୍କୁ ଆଗକୁ ଆଣିବା ସହ ସେମାନଙ୍କର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ବଜେଟ ଅଧିବେଶନ ଚାଲୁଥିବାରୁ ଏହି ସମୟରେ ରାଜ୍ୟ ସରକାର ବିଭିନ୍ନ ବିଲ ମଧ୍ୟ ଆଗତ କରୁଛନ୍ତି । ତେବେ ଗତକାଲି ରାଜ୍ୟ ସରକାର ବିଧାନସଭାରେ ପଛୁଆ ବର୍ଗ ସଂଶୋଧନ ବିଲ ୨୦୨୦ ପାରିତ କରିଛନ୍ତି । ଏହି ବିଲ ଅନୁଯାୟୀ ଓଡିଶାର ପଛୁଆବର୍ଗଙ୍କ ସମାଜିକ, ଶିକ୍ଷାଗତ ଓ ଆର୍ଥିକ ସର୍ଭେ କରାଯାଇପାରିବ ।
ଗତକାଲି ସକାଳେ ରାଜ୍ୟ ସରକାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ଏହି ବିଲକୁ ମଞ୍ଜୁର କରିବା ପରେ ବିଧାନସଭାରେ ଏହାକୁ ସନ୍ଧ୍ୟାରେ ଗୃହୀତ କରିଛନ୍ତି । ଏହି ବିଲଟିକୁ ବିଧାନସଭାରେ ରାଜ୍ୟ ଅନୁସୂଚୀତ ଜାତି, ଜନଜାତି ଓ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥାନ କରିଥିଲେ । ଅନ୍ୟପଟେ ରାଜ୍ୟ ସରକାର ଏହି ବିଲଟିକୁ ତରବରିଆ ଭାବେ ଗୃହୀତ କରିଥିବାରୁ ବିରୋଧୀ ଦଳମାନେ ଗୃହରେ ହଟ୍ଟଗୋଳ କରିଥିଲେ । କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା , ତାରା ପ୍ରସାଦ ବାହୀନୀପତି ପ୍ରମୁଖ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ ।
ତେବେ ବିଧାନସଭାରେ ବିଲଟି ଗୃହୀତ ହେବା ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଏହା ଏକ ଐତିହାସିକ ବିଲ ଅଟେ । ୧୯୩୧ ମସିହାରେ ଶେଷ ଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯାଇଥିଲା । ଏହାପରେ ୨୦୧୧ ଏସଇସିସି ସର୍ଭେରେ ଓବିସି ତଥ୍ୟ ସଂଗ୍ରହ କରାଯାଇଥିଲେ ବି ତଥ୍ୟ ସାମ୍ନାକୁ ଅଣାଯାଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ବର୍ତ୍ତମାନର ବିଜେପି ସରକାର ୨୦୧୩ରେ କଂଗ୍ରେସକୁ ଏନେଇ ସମାଲୋଚନା କରିଥିଲା । ଆଉ କ୍ଷମତାକୁ ଆସିଲେ ଜାତିଭିତ୍ତିକ ତଥ୍ୟ ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି ।