ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ପଙ୍କୋଦ୍ଧାର ଏକାଦଶୀ । ପ୍ରସିଦ୍ଧ ଶୈବ ପୀଠ ଲୋକନାଥଙ୍କ ମନ୍ଦିରରେ ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ଫାଲଗୁନ ମାସ କୃଷ୍ଣ ପକ୍ଷର ଏକାଦଶୀ ତିଥିକୁ ପଙ୍କୋଦ୍ଧାର ଏକାଦଶୀ ମଧ୍ୟ କୁହାଯାଇଥାଏ । ବର୍ଷସାରା ଲୋନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡି ରହିଥାନ୍ତି । ଜାଗରଯାତ୍ରା ପ୍ରସ୍ତୁତି ପର୍ଯ୍ୟାୟରେ ଏକାଦଶୀ ତିଥିରେ ବାବା ଶ୍ରୀଲୋକନାଥଙ୍କ ମନ୍ଦିରର ଗର୍ଭଗୃହକୁ ପଙ୍କୋଦ୍ଧାର ହେବାର ପରମ୍ପରା ରହିଛି । ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରାଯାଏ । ବାବା ଲୋକନାଥଙ୍କ ଗର୍ଭଗୃହର ଦୁଇ ତୃତୀୟାଂଶ ପାଣିରେ ବୁଡି ରହିଥାଏ ।
ବର୍ଷତମାମ ଭକ୍ତମାନେ ସମର୍ପଣ କରିଥିବା ଫୁଲ, ପତ୍ର, କ୍ଷୀର, ପୂଜା ସାମଗ୍ରୀ ପଚି ପଙ୍କରେ ଭରିଯାଇଥାଏ । ଏକାଦଶୀ ତିଥିରେ ପଙ୍କୋଦ୍ଧାର ହେବା ପରେ ମାହାଶିବରାତ୍ରି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ତେଣୁ ଆଜି ପଙ୍କୋଦ୍ଧାର ଏକାଦଶୀ ପଡୁଥିବାରୁ ବାବାଙ୍କର ପ୍ରତ୍ୟକ୍ଷ ଦର୍ଶନପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ କିପରି ସୁରୁଖୁରୁରେ ଯାଇ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ସେଥି ନିମନ୍ତେ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ସେହିପରେ ୨୦୦୦ଟି ଦର୍ଶନ ଟିକେଟ ମଧ୍ୟ କରାଯାଇଛି । ଯେଉଁ ଭକ୍ତମାନେ ଟିକେଟ ଯୋଗେ ଯାଇ ବାବାଙ୍କ ଦର୍ଶନ କରିବାକୁ ଚାହିଁବେ ସେମାନଙ୍କୁ ଗୋଟିଏ ଟିକେଟ ପ୍ରତି ୧୦୦ଟଙ୍କା ଦେବାକୁ ପଡିବ । ଏହାପରେ ଦର୍ଶନ ଟିକେଟ ଧାରୀ, ଭିଆଇପି, ଓ ସେବାୟତମାନେ ବୃଷଭ ଦ୍ୱାର ଦେଇ ଠାକୁରଙ୍କର ଦର୍ଶନ କରିପାରିବେ । ଅନ୍ୟମାନେ ଲକ୍ଷ୍ମୀଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରିବେ ଓ ସମସ୍ତେ ବଉଳଗଛ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।