ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ପବିତ୍ର ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପ୍ରସିଦ୍ଧ ଶୈବପୀଠ । ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ବାବା ଲିଙ୍ଗରାଜଙ୍କ ପାଖରେ ଜାଗର କରିବା ନିମନ୍ତେ ହଜାର ହଜାର ଭକ୍ତଙ୍କର ଆଗମନ ହୋଇଥାଏ । ତେବେ ଭକ୍ତ କିପରି ସୁବିଧାରେ ଯାଇ ବାବାଙ୍କର ଦର୍ଶନ କରିପାରିବେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଗତକାଲି ଏନେଇ ଟ୍ରାଫିକ ଡିସିପି ସାଗରିକା ନାଥ ଏକ ସମ୍ବାଦିକ ସମ୍ମୀଳନୀ କରିବା ସହ ଟ୍ରାଫିକ ନିୟମ ସଂମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଜାଗର ନିମନ୍ତେ କରାଯାଇଥିବା ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଜାଗର ଦିନ ଅର୍ଥାତ ଆସନ୍ତା ୨୧ତାରିଖ ସକାଳ ୨ଟାରୁ ମହାଦୀପ ଉଠିବା ଯାଏଁ ଟ୍ରାଫିକ ବ୍ୟବସ୍ଥାରେ କଟକଣା ଲାଗୁ କରାଯିବ ।
ସୂଚନାନୁଯାୟୀ , ମାଉସୀ ମା ପାଶ୍ୱର୍ରୁ ରଥ ରୋଡକୁ ଆସୁଥିବା ୪ ଚକିଆ ଯାନ ଛଡାଯିବ ନାହିଁ । ସେହି ଗାଡିଗୁଡିକୁ ବିବେକାନନ୍ଦ ମାର୍ଗରେ ସାନିଟୋରିଅନ ଛକ ଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ଯାଇ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପାଶ୍ୱର୍ରେ ପାର୍କିଂ କରିପାରିବେ । ସେହିପରି ଭିଆଇପି ଗାଡିଗୁଡିକୁ ରଥ ରୋଡରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ତିନି ମୁଣ୍ଡିଆ ବଢେଇବାଙ୍କ ଛକ ଦେଇ ପାର୍କିଂ କରିପାରିବେ । ଅପରପକ୍ଷରେ କେଉଟ ସାହି ପଟୁ ଆସୁଥିବା ଗାଡି ଗୁଡିକ କେଦାର ଗଳି ତାରିଣୀ ରିସର୍ଟ ଓ ଇଲେକ୍ଟ୍ରିକ ସବଷ୍ଟେସନ ଛକ ଦେଇ ବିଏମସି ମାର୍କେଟ କମ୍ପେ୍ଲକ୍ସିଂ ସ୍ଥାନକୁ ଛଡାଯିବ । ସେଠାରେ ନିଦ୍ଧାରିତ ସ୍ଥାନରେ ଗାଡି ପାର୍କିଂ ହେବ । ସେହିପରି ଇଲେକ୍ଟ୍ରିକ ସବଷ୍ଟେସନ ଛକ ଦେଇ ବିଏମସି ମାର୍କେଟ କମ୍ପେ୍ଲକ୍ସ ପାଖରେ ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଆସୁଥିବା ଗାଡି ଗୁଡିକ ପାର୍କିଂ କରିପାରିବେ । ଏହାସହ ଏସଏମ ହାଇସ୍କୁଲ ଓ ବିଏମ ହାଇସ୍କୁଲ ପଡିଆରେ ଦକ୍ଷୀଣ କାଳୀ ମନ୍ଦିର ରାସ୍ତା ଓ ତାରା ସୁନ୍ଦରୀ ରାସ୍ତା ପଟୁ ଆସୁଥିବା ଗାଡି ଗୁଡିକ ପାର୍କିଂ କରିବେ ।
ଅନ୍ୟପକ୍ଷରେ ରଥ୍ ରୋଡକୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ବଢେଇବାଙ୍କ ଦେଇ ଏସ୍ଏମ୍ ହାଇସ୍କୁଲ ଓ ବିଏମ୍ ହାଇସ୍କୁଲ ପଡିଆରେ ପାର୍କିଂ କରିବେ।ସମସ୍ତ ବସ ଗ୍ୟାରେଜ୍ ଛକରୁ ବିଦ୍ୟୁତ୍ ସବ୍ଷ୍ଟେଶନ ଛକଦେଇ ମାର୍କେଟ କମ୍ପ୍ଲେକ୍ସକୁ ଯାଇ ସେଠାରେ ପାର୍କିଂ କରିବେ। ତେବେ ବିନ୍ଦୁସାଗର ପଟରୁ ଭଜନ ମଣ୍ଡପ ଆଡକୁ କୌଣସି ଯାନ ଛଡାଯିବ ନାହିଁ। ହାଟ ସାହି ଛକରୁ ଭଜନ ମଣ୍ଡପ, ଭଜନ ମଣ୍ଡପଠାରୁ ବଢେଇବାଙ୍କ ଓ ସିଂହଦ୍ୱାରଠାରୁ ବିଦ୍ୟୁତ୍ ସବଷ୍ଟେଶନ ବ୍ଲକିଂ ସ୍ଥାନ ପର୍ୟ୍ୟନ୍ତ ରାସ୍ତାଗୁଡିକୁ ପଦଚାରୀ ଜୋନ୍ ହିସାବରେ ଘୋଷଣା କରାଯାଇଛି। କେବଳ ଭିଆଇପି ଗାଡିଗୁଡିକ ଉତ୍ତର ଦ୍ୱାର ସାମ୍ନାରେ ଥିବା ନିର୍ଦ୍ଧାରିତ ସ୍ଥାନରେ (ରଥ ଖଳା ଓ ବଢେଇବାଙ୍କ ମଧ୍ୟରେ) ପାର୍କିଂ କରିବେ।