କଳାହାଣ୍ଡି (ଏଟିଆର ବ୍ୟୁରୋ): ରାଜ୍ୟରେ ଟୋକନ ବ୍ୟବସ୍ଥା ହେବା ଦିନ ଠାରୁ ଚାଷୀମାନେ ଏହାକୁ ବିରୋଧ କରିଆସୁଛନ୍ତି । ବାରମ୍ବାର ଟୋକନ ବ୍ୟବସ୍ଥାରେ ଅନୀୟମିତତା ଆସିବାର ଅଭିଯୋଗ ହେବା ସତ୍ୱେ ପୁଣି ଏବେ ପୁଣି ଚାଷୀଙ୍କ ଅଡୁଆରେ ପକାଇଛି ପି- ପାସ୍ ବ୍ୟବସ୍ଥା । ଟୋକନ ଓ କମ୍ପ୍ୟୁଟରୀକୃତ ପି- ପାସ ବିଳମ୍ବ ଯୋଗୁଁ ମଣ୍ଡିରେ ଧାନ ଗଜା ହେଲାଣି । ଏଥିରେ ଉତ୍ୟକ୍ତ ହୋଇ ଶତାଧିକ ଚାଷୀ ନିଜ ନିଜ ଧାନ ବସ୍ତା ରଖି ଏନଏଚ ଅବରୋଧ କରିଛନ୍ତି । ୨୬ ନମ୍ବର ଜାତୀୟ ରାଜପଥକୁ ଚାଷୀମାନେ ଅବରୋଧ କରିବା ସହ ଧାନବସ୍ତା ଗୁଡିକୁ ରାସ୍ତାରେ ପକାଇରଖିଛନ୍ତି ।
ସୂଚନାନୁଯାୟୀ , ଚାଷୀମାନଙ୍କ ଅଭିଯୋଗ କ୍ରମେ କଳାହାଣ୍ଡି ଜିଲ୍ଲାରେ କିଛି ଦିନ ତଳେ ୨୦ଦିନ ଧରି କମ୍ପ୍ୟୁଟରରୁ ଟୋକନ ଗାଏବ ହୋଇଥିଲା । ଯାହାଫଳରେ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡିରହିଥିଲା । ଟୋକନ ଅବ୍ୟବସ୍ଥା ଓ ପି-ପାସ ଯୋଗୁଁ ଚାଷୀଙ୍କ ଠାରୁ ଧାନ କିଣା ହୋଇପାରୁନି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । ଉତ୍ୟକ୍ତ ଚାଷୀମାନେ ଆଜି ଆମପାଣି ଠାରେ ଶହ ଶହ ବସ୍ତା ଧାନ ଏନଏଚ ୨୬ରେ ରଖି ରାସ୍ତା ଅବରୋଧ କରିଛନ୍ତି । ଚାଷୀମାନଙ୍କର ରାସ୍ତା ଅବରୋଧ ଫଳରେ ଭବାନୀପାଟଣା – ଜୟପୁର ଗାଡି ଚଳାଚଳ ଠପ ହୋଇଯାଇଛି । ତେବେ ରାସ୍ତାର ଉଭୟ ପାଶ୍ୱରେ ଅନେକ ଗାଡି ଏବେ ବି ଠିଆ ହୋଇଥିବା ସୂଚନା ମିଳୁଛି ।