ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆକ୍ସନ ମୁଡ୍ ରେ ରାଜ୍ୟ ସରକାର । ଦୁର୍ନୀତିକୁ ବିରୋଧ କରି ରାଜ୍ୟ ସରକାର ଏବେ କଡା ପଦକ୍ଷପ ମାନ ଗ୍ରହଣ କରୁଛନ୍ତି । ସରକାରୀ ବାବୁ ମାନେ ଅନେକ ସମୟରେ ଲାଞ୍ଚ ନେଇ ଧରା ପଡୁଥିବାର ଖବର ଦେଖିବାକୁ ମିଳିଛି । ତେବେ ରଜ୍ୟ ସରକାର ଆଗରୁ ଦୁର୍ନୀତିକୁ ରୋକିବା ପାଇଁ ବହୁ ପ୍ରୟାସ କରିଛନ୍ତି । ହେଲେ ରାଜ୍ୟରେ ଦୁର୍ନୀତି କମିବାରେ ନାଁ ନେଉ ନାହିଁ । କିରାଣୀ ଠାରୁ ଆରମ୍ଭ କରି ବଡ ବଡ ସରକାରୀ ବାବୁ ମାନେ ଲାଞ୍ଚ ନେବା ବେଳେ ଏବେ ବି ଧରାପଡୁଛନ୍ତି ।
ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ସେମାନଙ୍କର ପେନସନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବରଖାସ୍ତ ହୋଇଥିବା ୬ ଜଣ ଅଧିକାରୀ ହେଲେ ଓବିସିସିର ପୂର୍ବତନ ଯନ୍ତ୍ରୀ ମୁଖ୍ୟ ତଥା ପରିଚାଳନା ନିଦ୍ଦେର୍ଶକ ସୁଧିର କୁମାର ବଜେନ୍ଦ୍ର ନାରାୟଣ। ତାଙ୍କର ପେନସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ସେହିପରି ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବଡିଭିଜନ କାମାକ୍ଷାନଗରର ପ୍ରମୋଦ କୁମାର ବେହେରା, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, ଏବଂ ସମ୍ୱଲପୁର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି।
ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୨ ଜଣ ଅଧିକାରୀ ହେଉଛନ୍ତି ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେଭେନ୍ୟୁ ଇନସପେକ୍ଟର ଅରୁଣ କୁମାର ପୁରୋହିତ ଏବଂ କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନସପେକ୍ଟର ଇଶ୍ୱରୀ ପ୍ରସାଦ ପୁରୋହିତ । ସୂଚନା ଯୋଗ୍ୟ ଗତ ଅଗଷ୍ଟ ମାସରୁ ଏପର୍ୟ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲାବେଳେ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।