ରାୟଗଡା(ଏଟିଆର ବ୍ୟୁରୋ): ପୁଣି ରିମାଣ୍ଡରେ ଯିବେ ଅନୁପ ସାଏ । ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା ଘଟଣାରେ ହୋଇଛନ୍ତି ଗିରଫ । ପୂର୍ବରୁ ରାୟଗଡା ପୋଲିସ ୩ ଦିନ ରିମାଣ୍ଡରେ ନେଇଥିଲା । ତେବେ ଆଉ ୩ ଦିନ ରିମାଣ୍ଡରେ ନେବା ପାଇଁ ରାୟଗଡା ପୋଲିସ କୋର୍ଟରେ ଆବେଦନ କରିଥିଲା । ହେଲେ ରାୟଗଡା ସିଜିଏମ କୋର୍ଟ ଅନୁପଙ୍କୁ ଗୋଟାଏ ଦିନ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଅନୁମତି ଦେଇଛି । ଅନ୍ୟପଟେ ପୋଲିସ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ କରିଥିବା ଆବେଦନ ଉପରେ ଶୁଣାଣି କରାଯାଇନାହିଁ ।
ତେବେ ପୂର୍ବରୁ ଅନୁପ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ନୋଙ୍କୁ ରିମାଣ୍ଡରେ ନେଇ ସାମ୍ନା ସାମ୍ନି ପଚରା ଉଚରା କରିଥିଲା ପୋଲିସ । ସେହିପରି ଅନୁପଙ୍କ ପରିବାର ଅନୁପଙ୍କୁ ପୋଲିସ ଫସାଇ ଦେଇଛି ବୋଲି ଅଭିଯୋଗ କରିବା ସହ ସୂଚନା କମିଶନଙ୍କୁ ଭେଟିଥିବାର ଖବର ରହିଛି । ସୂଚନା ଯୋଗ୍ୟ ଗତ ଫେବୃଆରୀ ୧୩ ତାରିଖରେ ରାୟଗଡା ପୋଲିସ ଅନୁପଙ୍କୁ ଗିରଫ କରିଥିଲା । ୨୦୧୬ ମସିହାରେ ଛତିଶଗଡ ହମିରପୁର ଜଙ୍ଗଲରେ ମୃତ କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ମୃତ ଦେହ ମିଳିଥିଲା । ପୋଲିସ ମୃତ ଦେହ ପାଇ ତଦନ୍ତ ଆରମ୍ଭ କରିଥିଲା ।
ଏହି ମାମଲାରେ ଅନୁପ ସାଏଙ୍କ ସମ୍ପର୍କ ଥିବାର ପୋଲିସ ଜାଣିବାକୁ ପାଇଥିଲା । ତେବେ ପୋଲିସ ଅନୁପଙ୍କୁ ଗିରଫ କରିବା ପରେ ଅନୁପ ପୋଲିସ ଆଗରେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା କରିଥିବା କଥା ଅନୁପ ସ୍ୱୀକାର କରିଥିଲେ । ଏହା ପରେ ହତ୍ୟା ମାମଲାରେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନଙ୍କ ସଂପୃକ୍ତି ଥିବାର ପୋଲିସ ଜାଣିବାକୁ ପାଇ ତାଙ୍କୁ ମଧ୍ୟ ଗିରଫ କରିଥିଲା ।