ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ କେତୋଟି ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା । ଏଥିପାଇଁ ଉଭୟ ପ୍ରଶାସନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି କସରତ । ତେବେ ଏବେ ଚାଲିଥିବା ମାଟ୍ରିକ ପରୀକ୍ଷାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବୋର୍ଡ ଓ ପ୍ରଶାସନ ପକ୍ଷରୁ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲେ ମଧ୍ୟ ତାହା ଯେମିତି ଧର୍ମକୁ ଆଖି ଠାର ସଦୃଶ୍ୟ ପାଲଟି ଯାଇଛି । କେତେ ବେଳେ ପ୍ରଶ୍ନପତ୍ର ଲିକ ହୋଇ ଭାଇରାଲ ହେଲାଣିତ କେତେବେଳେ ପରୀକ୍ଷାର୍ଥୀମାନେ କପି କରୁଥିବାର ଧରାପଡିଲେଣି ।
ଏହିଭଳି ଅନେକ ତୃଟି ପ୍ରତିଟି ପରିକ୍ଷାରେ ପରିଲକ୍ଷିତ ହେଉଥିବାରୁ ପ୍ରଶାସନ ପାଇଁ ମାଟ୍ରିକ ପରୀକ୍ଷାକୁ ସୁପରିଚାଳନା କରିବା ଏକ ପ୍ରକାର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହି ସବୁ ପରିସ୍ଥିତିକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ଯୁକ୍ତଦୁଇ ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ବିଭିନ୍ନ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷାରେ ଏଥର ୩ଲକ୍ଷ ୫୦ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାକୁ ଶାନ୍ତିଶୃଙ୍ଖଳା ତଥା ବିବାଦମୁକ୍ତ କରିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସରକାର । ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ହାତ ଘଣ୍ଟା ପିନ୍ଧିବା ଉପରେ କଟକଣା ଜାରି କରାଯାଇଛି । ସେହିପରି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ ହାତ ଘଣ୍ଟା କିମ୍ବା କୌଣସି ବୈଦ୍ୟୁତିକ ସାମଗ୍ରୀ ନେଇପାରିବେ ନାହିଁ । ଅନ୍ୟପଟେ କ୍ୟାମ୍ପସରେ ମୋବାଇଲ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି, କର୍ମଚାରୀ, ଅଧିକାରୀ କିମ୍ବା ଛାତ୍ରଛାତ୍ରୀ କ୍ୟାମ୍ପସକୁ ମୋବାଇଲ ନେଇପାରିବେନାହିଁ ।
ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏକ ଭିଡିଓ କନଫରେନ୍ସିଂ କରାଯାଇଥିଲ ।ା ଯେଉଁଥିରେ ଜିଲ୍ଲାପାଳ ଓ ଏସପିଙ୍କୁ ପରୀକ୍ଷା ସମୀକ୍ଷା କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏହାସହ ପରୀକ୍ଷା ହଲ ଭିତରେ ହିଁ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯିବା ସହ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସୁପରଭାଇଜରଙ୍କୁ ଦୁଇଥର ଚେକିଂ କରାଯିବ । ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ।ଏହାଛଡା କୌଣସି ଅସୁବିଧା ହେଲେ ପୁଲିସ ପାଟ୍ରୋଲିଂ ଭ୍ୟାନ ସଙ୍ଗେ ସଙ୍ଗେ ପହଁଞ୍ଚିବ । ତେବେ ପ୍ରଶ୍ନ ପତ୍ରର ସୁରକ୍ଷା ପାଇଁ ୨୦୨ଟି ନୋଡାଲ ସେଣ୍ଟର ଗୁଡିକରେ ପୋଲିସ ମୁତୟନ କରାଯିବ । ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବା ସମୟରେ ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ମୋବାଇଲ୍ ପାଖରେ ରଖିବେ ନାହିଁ। କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କ ଶରୀରକୁ ଭଲ ଭାବେ ଯାଞ୍ଚ କରାଯିବ। କେବଳ ଅଧ୍ୟାପିକା ହିଁ ଛାତ୍ରୀଙ୍କ ଯାଞ୍ଚ କରିବେ। ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ।
ଏନେଇ ଫାଟକ ନିକଟରେ ବଡ଼ ଅକ୍ଷରରେ ନୋଟିସ୍ ଲାଗିବ। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ସିଟ୍ରେ ବସିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ଅଭିଭାବକ ଏକାଠି ନ ହୁଅନ୍ତି, ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି। ଦରକାର ପଡ଼ିଲେ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ତେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ଯଦି ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ, ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ପୁଲିସ ଦ୍ବାରା ବନ୍ଧା ହେବେ। ଛାତ୍ର ଓ ଛାତ୍ରୀଙ୍କ ଲାଗି ଅଲଗା ଶୌଚାଳୟ, ପରୀକ୍ଷା ସମୟରେ ପର୍ୟ୍ୟାୟକ୍ରମେ ଶୌଚାଳୟ ଯାଞ୍ଚ, ଶୌଚାଳୟ ଯିବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ଟେବୁଲ୍ରେ ଯେପରି ପ୍ରଶ୍ନପତ୍ର ରଖି ଯିବେ, ସେଥିପ୍ରତି ଇନ୍ଭିଜିଲେଟରମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ କୁହାଯାଇଛି। ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ଉନ୍ନୟନ କମିସନର ସୁରେଶ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।