ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଓଡିଶାର ସୂର୍ଯ୍ୟମଣି ବେହେରାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଗତକାଲି ନୂଆଦିଲ୍ଲୀ ଠାରେ ଜାତୀୟ ବିଜ୍ଞାନ ଦିବସ ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୂର୍ଯ୍ୟମଣିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଫେସର ସୂର୍ଯ୍ୟମଣିଙ୍କୁ ୨୦୧୯ ବର୍ଷ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି ।
ସୂର୍ଯ୍ୟମଣି ପୁସ୍ତକ ଏବଂ ଗଣମାଧ୍ୟମ ମାଧ୍ୟମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରଚାର ଓ ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ତାଙ୍କୁ ଉପଢୌକନ, ମାନପତ୍ର ସହ ୫ଲକ୍ଷଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ରାଷ୍ଟ୍ରପତି । ପ୍ରଫେସର ବେହେରା ୪୦ରୁ ଅଧିକ ପୁସ୍ତକ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଲେଖିଥିବା ବେଳେ ତାଙ୍କ ଅନେକ ଲେଖା ବିଭିନ୍ନ ଖବର କାଗଜରେ ମଧ୍ୟ ପ୍ରକାଶ ପାଇଛି । ତାଙ୍କ ଲେଖା ପୁସ୍ତକ ମଧ୍ୟରୁ ‘ବିଜ୍ଞାନ ରୁ ଜ୍ଞାନ’, ‘ଯନ୍ତ୍ର କରୁଛି ମନ୍ତ୍ର’, ‘ବିଜ୍ଞାନ ସାହିତ୍ୟ ଦର୍ପଣ’ ଆଦି ପ୍ରମୁଖ ଅଟେ ।