ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ତିନିଦିନ ପରେ ଆରମ୍ଭ ହୋଇଯିବ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା । ଏଥିପାଇଁ ଉଭୟ ଛାତ୍ରଛାତ୍ରୀ ଓ ପ୍ରସାଶନ ନିଜର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ପରୀକ୍ଷାକୁ ସୁଚାରୁ ରୂପେ ସମ୍ପାଦନ କରିବା ପ୍ରସାଶନ ପାଇଁ ଏକ ଚାଲେଞ୍ଜ କାରଣର ପାଲଟିଛି । ଗତ କିଛି ବର୍ଷ ହେବ ଯେଉଁଭଳି ଭାବେ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହେବା ସହ କପି ହେଉଛି ତାହାକୁ ରୋକିବା ପ୍ରଶାସନ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଏବର୍ଷ ପରୀକ୍ଷାକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ଯେପରି କୌଣସି ବିଭ୍ରାଟ ନଘଟିବ ସେଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୁଷ୍ଟାନ୍ତମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଆଜି ପରୀକ୍ଷା ପ୍ରସ୍ତୁତି ଓ ପରିଚାଳନା ନେଇ ସିଏଚଏସଇ ପ୍ରେସମିଟ କରିଛି ।
ଯେଉଁଠି ସିଏଚଏସଇ କହିଛି, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ରେ ଶେଷ ହେଉଛି । ଏହି ସମୟରେ ମୋଟ ଉପରେ ୨୦ଟି କାର୍ଯ୍ୟ ଦିବସ ରହିଛି । ତେବେ ଏବର୍ଷ ଉଭୟ କଳା, ବିଜ୍ଞାନ, ବାଣିଜ୍ୟ, ଦକ୍ଷତା କୌଶଳରେ ମୋଟ ୩ଲକ୍ଷ ୫୦ହଜାର ୮୦୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ନିମନ୍ତେ ୧୧୪୩ଟି ପରୀକ୍ଷା ସେଣ୍ଟରର ବ୍ୟବସ୍ଥା କରାଯାଇଥିବା ବେଳେ ୨୦୨ଟି ପରୀକ୍ଷା ପରିଚାଳନା ପାଇଁ ହବ କରାଯାଇଛି । ଅନ୍ୟପଟେ ପରୀକ୍ଷାକୁ ଆଉ ଅଳ୍ପଦିନ ଥିବାରୁ ପରୀକ୍ଷା ପରିଚାଳନା ହବକୁ ଥିଓରି ପ୍ରଶ୍ନପତ୍ର ପଠାସରିଛି । ଏହାସହ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ।
ପ୍ରଥମ ପର୍ଯ୍ୟୟର ପରୀକ୍ଷା ପ୍ରଶ୍ନପତ୍ର ପଠା ସରିଥିବା ବେଳେ ମାର୍ଚ୍ଚ ୧୧ରେ ଦ୍ୱିତୀୟ ପର୍ଯ୍ୟୟ ପରୀକ୍ଷା ପ୍ରଶ୍ନ ପତ୍ର ପଠାଯିବ । ପ୍ରଶ୍ନପତ୍ର ପଠାଯିବା ଠାରୁ ଆରମ୍ଭ କରି ଉତ୍ତର ଖାତା ଆସିବା ପର୍ଯ୍ୟନ୍ତ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ନିମନ୍ତେ ୩ପ୍ରକାରର ସ୍ୱାର୍ଡର ବନ୍ଦୋବସ୍ତ କରାଯାଇଛି । ସିଏଚଏସଇ ପକ୍ଷରୁ, ଜୋନାଲ କାଉନସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାର୍ଡ଼ ପଠାଯିବ । ଏତତ ବ୍ୟତିତ ପ୍ରଶ୍ନପତ୍ର ଯିବା ସମୟରେ ଜଣେ ଅବଜରଭର ଯିବେ । ସେ ଦିନ ସାରା ପରୀକ୍ଷା କେନ୍ଦ୍ରରେ ରହିବେ । କାଉନସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଅବଜରଭର ଯିବେ । ୯ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଁଚିବ । ୧୦ଟା ସୁଦ୍ଧା ପରୀକ୍ଷା ଆରମ୍ଭ ହେବ । ୧୫ ମିନିଟ୍ ପୂର୍ବରୁ ପିଲାମାନେ ନିଜ ନିଜ ସିଟରେ ବସିବେ । ୧୦ଟା ପରେ ବଳକା ପ୍ରଶ୍ନପତ୍ର ସିଲ୍ ହେବ । ମୋବାଇଲ୍, ବୈଦୁତିକ ସାମଗ୍ରୀ ଆଦି ପରୀକ୍ଷା କେନ୍ଦ୍ରକୁ ନେବାକୁ ଅନୁମତି ଦିଆଯିବ ନାହିଁ ।
ଯଦି କୌଣସି ପରୀକ୍ଷାର୍ଥୀ ଓ ଅଧିକାରୀ ଅସାଧୁ ଉପାୟ ଅବଲମ୍ଵନ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରୀକ୍ଷାର୍ଥୀ ମଝିରେ ହଲ୍ ଛାଡ଼ିଲେ ପ୍ରଶ୍ନପତ୍ର ନେଇ ବାହାରକୁ ଯାଇ ପାରିବେ ନାହିଁ । ପରୀକ୍ଷାର୍ଥୀ ଓ ପରୀକ୍ଷା ସହ ସଂପୃକ୍ତ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ଭିତରକୁ ଯାଇ ପାରିବେ ନାହିଁ । ଛାତ୍ରଛାତ୍ରୀ କଳା ବଲ୍ ପଏଣ୍ଟ ପେନ୍ ବ୍ୟବହାର କରିବେ । ନିର୍ଦ୍ଧିଷ୍ଟ ସ୍ଥାନରେ ରୋଲ ନଂ ରେଜିଷ୍ଟର ନମ୍ଵର ଲେଖିବେ । ପ୍ରଶ୍ନପତ୍ରରେ କିଛି ଲେଖିବେନି । ଉତ୍ତର ଖାତାର ବଳକା ଫର୍ଦ୍ଧରେ କ୍ରସ୍ ମାର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।