ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମୟସୀମା ସରି ଗଲା ହେଲେ ସୁଧୁରିଲେନି ଗାଡିଚାଳକ । ଦୀର୍ଘ ୬ମାସର କୋହଳ ପରେ ରାଜ୍ୟରେ ଗତକାଲିଠାରୁ ପୁଣି କଡାକଡି ହୋଇଛି ନୂଆ ମୋଟରଯାନ ଆଇନ । ତେବେ ଏତେ ଦିନର ସମୟସୀମା ଦିଆଯିବା ସତ୍ୱେ କିଛି ଜନସାଧାରଣ ସୁଧୁରିନଥିବା ଦେଖିବାକୁ ମିଳୁଛି । ଗତକାଲି ନିୟମ କଡାକଡି ହେବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କିଛି ବେପରୁଆ ଗାଡି ଚାଳକଙ୍କ ଠାରୁ ଆଦାୟ ହୋଇଛି ମୋଟା ଆକାରର ଜରିମାନା । ଅନେକ ସ୍ଥାନରେ ଚେକିଂ ସମୟରେ ମଧ୍ୟ ଗାଡି ଚାଳକ ଓ ପୋଲିସ ମଧ୍ୟରେ କଥା କଟାକଟି ହେଉଥିବାର ଦେଖିବାକୁ ମିଳିଥିଲା ।
ତେବେ ପ୍ରଥମ ଦିନରେ ରାଜ୍ୟର ମୋଟ ୧୩୯୭ଜଣଠାରୁ ଟ୍ରାଫିକ ନିୟମ ଉଲ୍ଲଂଘନ କାରଣରୁ ଆଦାୟ ହୋଇଛି ଜରିମାନ । କିଛି ଲୋକ ଇ- ଚାଲଣ ମାଧ୍ୟମରେ ଜରିମାନ ଦେଇଥିବା ବେଳେ କିଛି ଲୋକ ସଙ୍ଗେସଙ୍ଗେ ଜରିମାନ ଅର୍ଥରାଶି ଫାଇନ ଆକାରରେ ପୋଲିସକୁ ପ୍ରଦାନ କରିଛନ୍ତି । ତେବେ ବାଲେଶ୍ୱରରେ ୧୫୫ଜଣ, ସମ୍ବଲପୁରରେ ୧୧୯ଜଣ, ବରଗଡରେ ୧୦୪ଜଣ ଗଞ୍ଜାମରେ ୯୨ଜଣ ଓ କୋରାପୁଟରେ ୮୪ଜଣ ଓ ଭୁବନେଶ୍ୱର ଆରଟିଓ ୧ରୁ ୬୩ଜଣ ଏବଂଆରଟିଓ ୨ରୁ ୧୦୫ଜଣଙ୍କଠାରୁ ଇ-ଚାଲଣ କଟାଯାଇଥିବା ସୂଚନା ମିଳିଛି । ତେବେ ରାୟଗଡାରେ ସର୍ବାଧିକ ଲକ୍ଷେ ଦଶ ହଜାର ଆଠ ଶହ ଟଙ୍କାର ଜରିମାନା ଗୋଟଏ ଟ୍ରକଠାରୁ ଆଦାୟ କରାଯାଇଛି । ଭୁବନେଶ୍ୱରରୁ ରଙ୍ଗ ସାଇଡ୍ ଡ୍ରାଇଭିଂ, ବିନା ହେଲମେଟ ଡ୍ରାଇଭିଂ, ଟ୍ରିପଲ ଡ୍ରାଇଭିଂ ଆଦିରୁ ମୋଟ ୫୦୦ଟି ମାମଲା ସାମ୍ନାକୁ ଆସିଥିଲା ବୋଲି ଟ୍ରାଫିକ ପୋଲିସ ସୂତ୍ରରୁ ସୂଚନା ମିଳିଛି ।