ପୁରୀ (ଏଟିଆର ବ୍ୟୁରୋ): ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଭିକାରିମାନଙ୍କୁ ସେଠାରୁ ହଟାଇବା ସହ ସହରକୁ ଭିକାରି ମୁକ୍ତ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ତାରିଖରୁ ଆରମ୍ଭ ହେବାକୁ ଯାଉଛି ନିଳାଦ୍ରି ନିଳୟ ଯୋଜନା । ଗତକାଲି ସଂସ୍କୃତି ଭବନରେ ଜିଲ୍ଲାପାଳ ବଲୱନ୍ତ ସିଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରୀ ଅଧିକାରଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ନିଳାଦ୍ରି ନିଳୟ ଯୋଜନାର କାର୍ଯ୍ୟକାରୀତା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ଏହାର କାର୍ଯ୍ୟକାରୀତା ସମୟରେ ସମ୍ବେଦନଶୀଳ ଓ ଧୈର୍ଯ୍ୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ।
ଏହି ନିଳାଦ୍ରି ନିଳୟ ଯୋଜନା ଅନୁଯାୟୀ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ହେବାକୁ ଥିବା ଏହି ଯୋଜନା ପୁରୀ ଜିଲ୍ଲାର ୮ଟି ଅଞ୍ଚଳରେ କାର୍ଯ୍ୟକାରୀ ହେବ । ଏହା ଯୋଜନାନୁସାରେ ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରି ରହିବା , ଖାଇବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ । ସମସ୍ତ ଭିକାରିମାନଙ୍କୁ କାଉଂନିସଲ କରାଯାଇ ସେମାନଙ୍କୁ ନୀଳାଦ୍ରି ନିଳୟକୁ ପଠାଇବାର ବ୍ୟବସ୍ଥା କରାଯିବ । ଭିକାରୀଙ୍କ ମଧ୍ୟରେ ଥିବା ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ, ରୋଗୀ ଆଦିଙ୍କ ପାଇଁ ସ୍ବତନ୍ତ୍ର ଗୃହ କାର୍ଯ୍ୟ କରିବ।
ସୂଚନାନୁଯାୟୀ, ପୁରୀକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଅନେକ ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ କରିବାକୁ ପଡିଥାଏ ଭିକାରୀମାନଙ୍କର ସାମ୍ନା । ଯାହାଫଳରେ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ । ପୁରୀ ସହରକୁ ବିଶ୍ୱ ଐତିହ ସ୍ଥଳିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମୂଳକ କାର୍ଯ୍ୟ ହାତକୁ ନିଆ ଯାଉଛି । ପ୍ରଥମେ ଶ୍ରୀମନ୍ଦିର ଚତୁପାଶ୍ୱ ୭୫ମିଟର ଉଚ୍ଚେଦ ହେବ ପରେ ଏହାର ସୌନ୍ଦଜୀକରଣ ପାଇଁ ଲକ୍ଷଲକ୍ଷ ଟଙ୍କା ବିନିମୟରେ ବିଭିନ୍ନ କାର୍ଯ୍ୟ କରାଯାଉଛି । ମନ୍ଦିରର ଚତୁପାଶ୍ୱର୍ ଉଚ୍ଚେଦ ସମୟରେ ବିସ୍ଥାପିତଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହ ସେମାନଙ୍କର ଥଇଥାନ ପାଇଁ ଯୋଜନା କରି ସେମାନଙ୍କୁ ଥଇଥାନ କରିଥିଲେ । ତେବେ ଦେଖିବାକୁ ବାକି ରହିଲା ରାଜ୍ୟ ସରକାରଙ୍କର ଏହି ଜନକଲ୍ୟାଣକାରୀ ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି ।