ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସର୍ବଭାରତୀୟ ବନ କ୍ରୀଡାକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତା ଆରମ୍ଭ ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ୩ଥରର ସର୍ବଭାରତୀୟ ବନ କ୍ରୀଡା ବିଜେତା ଆରଧନ ଭୋଇ ଖେଳାଳିମାନଙ୍କୁ ଶପଥ ପାଠ କରାଇଥିଲେ ।
ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ୪ଟି ସ୍ଥାନ ଯଥା କିଟ୍, କଳିଙ୍ଗ ଷ୍ଟାଡିୟମ, ଗଲ୍ଫ କୋର୍ସ ଓ ରୋଲବାଇ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ତେବେ ଏହି ପ୍ରତିଯୋଗିତା ୧୯୩୩ରେ ଆରମ୍ଭ ହୋଇଥିଲା । ୧୯୯୪ ମସିହାରେ ଏହାର ଦ୍ୱିତୀୟ ସଂସ୍କରଣ ଓଡିଶାରେ ଆୟୋଜିତ ହୋଇଥିଲା । ପ୍ରାୟ ୨୬ ବର୍ଷ ପରେ ଏହାର ରୌପ୍ୟ ଜୟନ୍ତୀ ସଂସ୍କରଣ ଓଡିଶାରେ ଆୟୋଜିତ କରାଯାଉଛି । ଏହି ପ୍ରତିଯୋଗିତାରେ ମୋଟ ୨୩ କ୍ରୀଡାର ୨୮୫ ଇଭେଣ୍ଟରେ ୩୭ ଦଳରୁ ପ୍ରାୟ ୨୫୦୦ ଖେଳାଳି ଓଡିଶାରେ ପହଞ୍ଚିଛନ୍ତି ।
ଉଦଘାଟନି ଉତ୍ସବରେ ମଞ୍ଚରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅନନ୍ତ ନାରାୟଣ ଜେନା, କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ସଚିବ ସିକେ ମିଶ୍ର, ଏଡିଜି (ଜଙ୍ଗଲ ଓ ଜଳବାୟୁ) ସଂଜୟ କୁମାର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କ ସହ ଅଲିମ୍ପିଆନ୍ ଗଗନ ନାରଙ୍ଗ, ଦୂତି ଚାନ୍ଦ ଏବଂ ଓଡ଼ିଆ ଧାବକ ଅମିୟ କୁମାର ମଲ୍ଲିକ ଅତିଥି ଭାବେ ଉପସ୍ଥିତ ଥିଲେ।