ପୁରୀ(ଏଟିଆର ବ୍ୟୁରୋ):ପୂର୍ବରୁ ରାଜ୍ୟ ସରକାର ପ୍ଲାଷ୍ଟିକ୍ ବ୍ୟବହାର ଉପରେ ବହୁ କଟକଣା ଲଗାଇଛନ୍ତି । ଭୁବନେଶ୍ୱର, ପୁରୀ, ରାଉଲକେଲା ଭଳି ପ୍ରମୁଖ ସହରରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ତେବେ ପ୍ଲାଷ୍ଟିକ୍ ବ୍ୟବହାର କଟକଣା ଉପରେ ଆଉ ଏକ ପଦା ଆଗେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ପହିଲାରୁ ଶ୍ରୀମନ୍ଦିର ପରିସରରେ ପ୍ଲାଷ୍ଟିକ୍ ବ୍ୟାନ କରାଯିବ । ଏହା ସହ ପାନଛେପ ପକାଇଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡିବ । ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁମୋଦନ କରାଯାଇଛି । ଆସନ୍ତା ୮ ତାରିଖ ଦିନ ମେଣ୍ଡା ପୋଡି ନୀତି ଓ ୯ ତାରିଖରେ ଦୋଳ ପୂର୍ଣ୍ଣିମା ନୀତି କରାଯିବ । ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁ ସୁନାବେଶ ଓ ରାଜରାଜେଶ୍ବର ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଧ୍ୟ ଏହି ଦିନ ଦୋଳବେଦୀକୁ ଆସି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହିତ ହୋଲି ଖେଳିଥାନ୍ତି ।