ଗଞ୍ଜାମ (ଏଟିଆର ବ୍ୟୁରୋ): ଶନିବାର ଦିନ ଆଉ ଛାତ୍ରଛାତ୍ରୀମାନେ ସ୍ମୁଲକୁ ବ୍ୟାଗ ନେବେ ନାହିଁ । ଏଣିକି ଶନିବାର ହେବ ନୋ ବ୍ୟାଗ ଡେ’ । ଏହିଭଳି ନୂଆ ପ୍ରୟାସ ଗଞ୍ଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି । ପିଲାମାନେ ନେଉଥିବା ସ୍କୁଲ ବ୍ୟାଗର ଓଜନକୁ କମାଇବା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ କେଉଁ ଶ୍ରେଣୀ ପର୍ଯ୍ୟନ୍ତ କେତେ ଓଜନ ନେବେ ତାହା ସ୍ଥିର କରାଯାଇଛି । ହେଲେ ଏହା ନିର୍ଦ୍ଦେଶ ସତ୍ୱେ ପିଲାମାନେ ସ୍କୁଲ ବ୍ୟାଗରେ ଅଧିକ ଓଜନର ଜିନିଷ ନେଉଥିବାର ଦେଖିବାକୁ ମିଳୁଛି । ଯାହାଫଳରେ ପିଲାମାନଙ୍କ ପାଖରେ ଶାରିରୀକ ସମସ୍ୟାଦେଖାଯାଉଛି । ତେବେ ଏହି ସବୁ ଦୃଷ୍ଟିକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଭଳି ନୂତନ ପ୍ରୟାସ ଆରମ୍ଭ କରାଯାଇଛି । ଯେଉଁଥିରେ ଏବେ ପ୍ରତି ଶନିବାର ପିଲାମାନେ ଆଉ ସ୍କୁଲକୁ ବ୍ୟାଗ ନେଇ ଯିବେ ନାହିଁ ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତା ୭ ତାରିଖଠାରୁ ଏହା କାର୍ଯ୍ୟକାରୀ ହେବ। ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଶନିବାର ଦିନ ପିଲା ଶନିବାର ସ୍କୁଲକୁ ବହିଖାତା ଆଣିବେ ନାହିଁ । ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ପଦ୍ଧିତ ଲାଭଦାୟକ ହେବ। ପିଲାଙ୍କୁ ପ୍ରଥମେ ଯୋଗଶିକ୍ଷା ଦିଆଯିବ। ପରେ ସାମୂହିକ ବିଦ୍ୟାଳୟ ସଫେଇ, ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ, ଶୌଚାଳୟ ବ୍ୟବହାର କରିବାର ଉପକାରିତା ଏବଂ ଚାରାରୋପଣ ନେଇ ସଚେତନ କରାଯିବ। ପିଲାଙ୍କୁ ବିଭିନ୍ନ ଗପ ଶୁଣାଇ ସେମାନେ ଯେଉଁ ଗପ ଜାଣିଛନ୍ତି ତାହା କହିବା ପାଇଁ ଉତ୍ସାହିତ କରାଯିବ। ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଛାତ୍ରୀଛାତ୍ରଙ୍କୁ ମୌଖିକ ଶିକ୍ଷା ଦିଆଯିବ। ଏଥିସହ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ। ବାଳିକା ଶିକ୍ଷାର ଆବଶ୍ୟକତା ଉପରେ ଶିକ୍ଷକମାନେ ବକ୍ତବ୍ୟ ରଖିବେ। ମହିୟସୀ ମହିଳାମାନଙ୍କର କାର୍ଯ୍ୟବଳୀ ଅବଗତ କରାଯିବ। ଛାତ୍ରୀଛାତ୍ରମାନେ ଚିତ୍ରାଙ୍କନ କରିବା ସହିତ ସାମ୍ପ୍ରତିକ ଘଟଣାବଳୀ ଉପରେ ସେମାନଙ୍କୁ ସୂଚନା ଦିଆଯିବ।ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।