ପୁରୀ (ଏଟିଆର ବ୍ୟୁରୋ): ପୁରୀ ଜିଲ୍ଲା ଅସ୍ତରଙ୍ଗର ସମୁଦ୍ର କୂଳ ନିକଟରେ ଠାବ ହୋଇଛି ଏକ ବିଶାଳକାୟ ତିମି ମାଛର ମୃତ ଦେହ । ମୃତ ତିମିଟିକୁ ଅନ୍ତରଙ୍ଗ ଗୁଣଡୁଳୁବା ଗ୍ରାମ ସମୁଦ୍ର କୂଳ ନିକଟରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ଗତକାଲି ସଂନ୍ଧ୍ୟାରେ ତିମିର ମୃତ ଦେହକୁ ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ଆଜି ସକାଳୁ ବନ ବିଭାଗ କର୍ମଚାରୀ ମାନେ ଆସି ମୃତ ତିମିର ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହି ତିମିଟି ବ୍ଲୁ ହ୍ୱଲ ପ୍ରଜାତିର ମାଛ ହୋଇଥିବା ବେଳେ ଏହାର ଲମ୍ବା ୩୦ଫୁଟରୁ ଅଧିକ ରହିଛି ।
ଉକ୍ତ ତିନିଟିକୁ ଜେସିବି ମେସିନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଥିବା ସୂଚନା ମିଳୁଛି । ତେବେ କେଉଁ କାରଣରୁ ଉକ୍ତ ମାଛଟିର ମୃତ୍ୟୁ ଘଟିଲା ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ସମୁଦ୍ରରେ ଚଳାଚଳ କରୁଥିବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଏହି ଉପକୂଳ କେଳୁଣୀ ମୁହାଣ ନିକଟରେ ୨୦୧୪ ମସିହାରେ ନଦୀକୁ ଏକ ସ୍ପର୍ମ ପ୍ରଜାତିର ୩୨ଫୁଟ ଲମ୍ବର ତିମି ପଶି ଆସିଥିଲା । ସମୁଦ୍ରକୁ ଯାଇ ନପାରି ମୃତ୍ୟମୁଖରେ ପଡ଼ିବା ପରେ ତିମି ମାଛର କଙ୍କାଳକୁ ଭୁବନେଶ୍ୱରସ୍ଥିତ ରିଜିଓନାଲ ମ୍ୟୁଜିଅମ ଅଫ ନାଚୁରାଲ ହିଷ୍ଟୋରିର ବିଶେଷଜ୍ଞମାନେ ସଂଗ୍ରହ କରି ରଖିଥିଲେ ।