ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡି ସମସ୍ତ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡିର ସମସ୍ତ ପ୍ରାର୍ଥୀ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୁବାସ ସିଂହ, ସୁଜିତ କୁମାର, ମମତା ମହନ୍ତ ଓ ମୁନା ଖାଁ ବିଜେଡି ତରଫରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି । ତେବେ ବିଜେପି ରାଜ୍ୟ ସଭା ପ୍ରାର୍ଥୀ ଦେବ କି ନାହିଁ ସେ ନେଇ ବହୁ କଳ୍ପନା ଯଳ୍ପନା ହେଉଥିଲା । ସବୁ କଳ୍ପନା ଯଳ୍ପନାରେ ପୂର୍ଣ୍ଣଛେଦ ପକାଇଛି ବିଜେପି । ବିଜେପି ଘୋଷଣା କରିଛି ଯେ, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଦେବନାହିଁ । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଜିତିବା ପାଇଁ ସଂଖ୍ୟା ନଥିବାରୁ ସଂସଦୀୟ ବୋର୍ଡ ମନା କରିଦେଇଛନ୍ତି ବୋଲି ସମୀର କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀତି ଅଭିଯୋଗ କରିଛନ୍ତି ଯେ, ଶାସକ ଦଳ ସହ ବିଜେପିର ବୁଝାବଣା ହୋଇଛି । ତେଣୁ ବିଜେପି ପ୍ରାର୍ଥୀ ଦେଉନାହିଁ । ସେହିପରି କଂଗ୍ରେସ ବିଧାୟକ ପ୍ରଦୀପ୍ତ କୁମାର ନାୟକ କହିଛନ୍ତି ଯେ, କଂଗ୍ରେସ ଏଥର ପ୍ରାର୍ଥୀ ଦେବନାହିଁ । ସଂଖ୍ୟାଗରିଷ୍ଠତା ନଥିବାରୁ କାହିଁକି ଲଢେଇ କରିବୁ ବୋଲି ସେ କହିଛନ୍ତି । ଏନେଇ ଦଳ ନିଷ୍ପତି ନେଇ ନାହିଁ ବୋଲି ପ୍ରଦୀପ୍ତ କହିଛନ୍ତି ।