ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହୋଇ ଖାଣ୍ଟି ଓଡିଆ ଘରର ବୋହୂ ସାଜିଲେ ଝିଲିକ ଭଟ୍ଟାଚାର୍ଯ୍ୟ । ବଙ୍ଗୀୟ ଓ ଓଡିଆ ଫିଲ୍ମ ଜଗତରେ ରିଲ ଲାଇଫରେ ନିଜର ଯୋଡି ବନାଇ ଦର୍ଶକଙ୍କ ମନ କିଣୁଥିବା ଝିଲିକ ଶେଷରେ ନିଜର ରିୟଲ ଲାଇଫ ଜୀବନ ସାଥୀଙ୍କୁ ବାଛି ନେଇଛନ୍ତି । ଚୁଲବୁଲି ଅଭିନେତ୍ରୀ ଝିଲିକ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଘଡେଇ ତଥା ବର୍ତ୍ତମାନର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କୁ ବିବାହ କରିଛନ୍ତି । ଅନେକ ଦିନ ଧରି ପ୍ରୀତିରଞ୍ଜନଙ୍କ ନା ତାଙ୍କ ସହ ଯୋଡା ହେଉଥିବା ବେଳେ ଆଜି ସକାଳୁ ଝିଲିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରିଛନ୍ତି ।
ସୂଚନାନୁଯାୟୀ, ସାତପଡା ସ୍ଥିତ ସ୍ୱସ୍ତି ହୋଟେଲରେ ଝିଲିକ ଓ ପ୍ରୀତିରଞ୍ଜନଙ୍କ ବାହାଘର ହୋଇଛି । ତେବେ ଏହି ବିବାହରେ ପରିବାରର ସଦସ୍ୟଙ୍କ ସହିତ ଅଳ୍ପ କିଛି ଅତିଘନିଷ୍ଠ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିବା ଜଣାପଡିଛି । ଇନଷ୍ଟାଗ୍ରାମରେ ଝିଲିକ ୨ଟି ଫୋଟ ସେୟାର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମକୁ ଆଶୀର୍ବାଦ କରନ୍ତୁ । ଖାଲି ସେତିକି ନୁହେଁ ସେ ନିଜ ପୋଷ୍ଟରେ ଜୟ ଜଗନ୍ନାଥ ମଧ୍ୟ ଲେଖିଛନ୍ତି । ଝିଲିକ ସେୟାର କରିଥିବା ଦୁଇଟି ଫଟୋ ମଧ୍ୟରୁ ଗୋଟିଏ ଫଟୋରେ ତାଙ୍କ ମଥାରେ ପ୍ରୀତିରଞ୍ଜନ ସିନ୍ଦୁର ଦେଉଥିବା ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ଫଟୋରେ ଝିଲିକ ତାଙ୍କ ଶଶୂର ପ୍ରଫୁଲ୍ଲ ଘଡେଇ ଓ ଶାଶୂଙ୍କ ପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି ।
ଝିଲିକ ଜଣେ ବଙ୍ଗୀୟ କଳାକାର ହୋଇଥିବା ବେଳେ ୨୦୧୩ ମସିହାରେ ରିଲିଜ ହୋଇଥିବା ‘ଟାର୍ଗେଟ’ ଫିଲ୍ମ ଜରିଆରେ ଓଡିଆ ଫିଲ୍ମ ଜଗତରେ ପାଦଥାପି ଥିଲେ । ସେବେଠାରୁ ଓଡିଆ ଦର୍ଶକଙ୍କ ମନ ଜିତିଥିବା ଝିଲିକା ଆଉ ପଛକୁ ଫେରିନାହାନ୍ତି । ସେ ପାଖାପାଖି ୧୫ଟି ଓଡିଆ ଫିଲ୍ମରେ କାମ କରିଛନ୍ତି । ଅନ୍ୟପଟେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ବର୍ତ୍ତମାନର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ପ୍ରଥମେ ୨୦୦୯ରେ କୋରେଇରୁ ବିଧାସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ରେ ସେ ସୁକିନ୍ଦାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ପୁଣି ଥରେ ବିଜେଡି ଟିକେଟରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।