ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକ ସୁଧ ପାଇବା ଆଶାରେ ମହାପ୍ରଭୁଙ୍କର ଅର୍ଥକୁ ୟେସ ବ୍ୟାଙ୍କରେ ଜମା କରାଯାଇଥିଲା । ମହାପ୍ରଭୁଙ୍କର ଅର୍ଥ ୟେସ ବ୍ୟାଙ୍କରେ ରଖିବା ପଛରେ ରାଜ୍ୟ ସରକାରଙ୍କର କୌଣସି ହାତ ନାହିଁ । ଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ । ଏହିଭଳି କିଛି ଉତ୍ତର ଦେଇ ରାଜ୍ୟ ସରକାର ନିଜ ମୁଣ୍ଡ ଉପରୁ ଅଠା ଛଡାଇବାକୁ ଚେଷ୍ଟା କରିଛନ୍ତି । ଏବେ ବିଧାନସଭାର ଦ୍ୱିତୀୟ ବଜେଟ ଅଧିବେଶନର ଚାଲିଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଭଳି କିଛି ଉତ୍ତର ରଖିଛନ୍ତି ।
ମହାପ୍ରଭୁଙ୍କର ଅର୍ଥ କାହିଁକି ୟେସ ବ୍ୟାଙ୍କରେ ରଖାଯାଇଥିଲା । ଏହାକୁ ୟେସ ବ୍ୟାଙ୍କରେ ରଖିବା ପଛରେ କାହାର ହାତ ରହିଛି । ଏବଂ ସେ ସମସ୍ତ ଅର୍ଥରାଶି କେବେ ଫେରି ଆସିବ ଏହିଭଳି ଅନେକ ପ୍ରଶ୍ନ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ବିଧାନସଭାରେ ବିରୋଧୀ ଏପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ତେବେ ଆଜି ଅର୍ଥମନ୍ତ୍ରୀ ଏହି ପ୍ରସଙ୍ଗରେ ଉତ୍ତର ଦେଇ କହିଛନ୍ତି, ଅଧିକ ସୁଧ ପାଇବା ଆଶାରେ ମହାପ୍ରଭୁଙ୍କର ଅର୍ଥକୁ ୟେସ ବ୍ୟାଙ୍କରେ ରଖାଯାଇଥିଲା । ୟେସ ବ୍ୟାଙ୍କ ସର୍ବାଧିକ ୮.୬୧ପ୍ରତିଶତ ସୁଧ ଦେବାକୁ ରାଜି ଥିବାରୁ ଏହି ବ୍ୟାଙ୍କରେ ଗୋଟିଏ ବର୍ଷ ପାଇଁ ଅର୍ଥ ଜମା କରାଯାଇଥିଲା ।
ତେବେ ୨୦୨୦ ମସିହା ମାର୍ଚ୍ଚ ତାରିଖ ପୂର୍ବରୁ ୟେସ ବ୍ୟାଙ୍କ ସହ କାରବାର ନକରିବାକୁ କୌଣସି ସୂଚନା ନଥିଲା । ଏହାଛଡା ଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏହାବ୍ୟତିତ ଟଙ୍କାକୁ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଟ୍ରାନ୍ସଫର୍ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକଙ୍କୁ ନିବେଦନ କରାଯାଇଛି । ସେହିପରି ରାଜ୍ୟ ଅର୍ଥମନ୍ତ୍ରୀ ଗତ ୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ୟେସ୍ ବ୍ୟାଙ୍କରୁ ଅନ୍ୟ ଜାତୀୟକରଣ ବ୍ୟାଙ୍କକୁ ଜମା ରାଶି ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି ।